ଆଜି ବିଶ୍ୱ ହସ୍ତୀ ଦିବସ, ହାତୀମାନଙ୍କ ସୁରକ୍ଷାକୁ ଓ ବଂଶ ବୃଦ୍ଧି ଏହି ଦିବସର ଲକ୍ଷ୍ୟ

ଭୁବନେଶ୍ବର: ଆଜି ବିଶ୍ଵ ହାତୀ ଦିବସ । ଏହି ଅବସରରେ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ପାଳିତ ହୋଇଛି ବିଶ୍ୱହାତୀ ଦିବସ । ଏହି ଅବସରରେ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରରେ ୬ ହାତୀଙ୍କୁ ଚନ୍ଦନ, ସିନ୍ଦୁର ଚିତା ଲଗାଇ ସେମାନଙ୍କ ଉପରେ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ପ୍ରାଣୀ ଉଦ୍ୟାନ ପରିସରରେ ବୁଲାଯାଇଥିଲା ।

ହାତୀଙ୍କୁ କଦଳୀ, ସେଓ, ନଡ଼ିଆ ଆଦି ଖାଇବାକୁ ଦିଆଯାଇଥିଲା । ପ୍ରାଣୀ ଉଦ୍ୟାନ ପରିସରରେ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣୀୟ ହୋଇଥିଲା । ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରୀ ଛାତ୍ର ହାତୀଙ୍କୁ ଫଳ ଖାଇବାକୁ ଦେଇଥିଲେ । ହାତୀ ମଧ୍ୟ ଛାତ୍ରୀଛାତ୍ର ଓ ପର୍ଯ୍ୟଟକଙ୍କୁ ଶୁଣ୍ଢ ଟେକି ଆର୍ଶୀବାଦ ଦେଉଥିବା ଦେଖାଯାଇଥିଲା ।

ଅନ୍ୟପଟେ ବିଶ୍ଵ ହାତୀ ଦିବସରେ ଉନ୍ମୋଚନ ହେଲା ୨ ପୁସ୍ତକ । ଏଲିଫାଣ୍ଟ କରିଡ଼ରସ ଅଫ ଇଣ୍ଡିଆ , ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ । ଭୁବନେଶ୍ଵରରେ ବିଶ୍ଵ ହାତୀ ଦିବସ ପାଳନ ଅବସରରେ ଏହି ଦୁଇ ପୁସ୍ତକର ଉନ୍ମୋଚନ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ । ଉପସ୍ଥିତ ଥିଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏ ଅବସରରେ ଦେଶରେ ହାତୀ ସୁରକ୍ଷା କ୍ଷେତ୍ରରେ କାମ କରିଥିବା ବିଭିନ୍ନ ରାଜ୍ୟର ବନ କର୍ମଚାରୀଙ୍କୁ ଗଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି ।