ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ନିର୍ବାଚନ, ୬୪୩ ସମବାୟ ସମିତି ପାଇଁ ମତଦାନ ଜାରି
ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ନିର୍ବାଚନ । ୬୪୩ ସମବାୟ ସମିତି ପାଇଁ ହେଉଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ୩୦୧୨ ପ୍ରାଥମିକ ସମବାୟ ସମିତି ଧାର୍ଯ୍ୟ ହୋଇଥିଲା । ଏଥିରୁ ୨୩୬୯ ସମବାୟ ସିମିତି ସଦସ୍ୟମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୬୪୩ ସମବାୟ ସମିତି ପାଇଁ ମତଦାନ ହେଉଛି । ୩ ଲକ୍ଷ ୮୫ ହଜାର ୪୮ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ।
ମତଦାନ ବୁଥରେ ମାଜିଷ୍ଟ୍ରେଟ ଓ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି । ୧୫୫ଟି ସମ୍ବେଦନଶୀଳ ବୁଥରେ ଭିଡିଓଗ୍ରାଫି ସହ ସିସିଟିଭି ଦ୍ୱାରା ମନିଟର କରାଯାଉଛି । ଅତି ସମ୍ବେଦନଶୀଳ ବୁଥ୍ ଦାୟିତ୍ୱରେ ରହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ୧୯ ଉପନିବନ୍ଧକ ଓ ୫୮ ସହକାରୀ ନିବନ୍ଧକଙ୍କ ସହିତ କର୍ମଚାରୀମାନେ ନିର୍ବାଚନ ପରିଚାଳନା କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନରେ ସ୍ଥଗିତ ଥିବା ମତଦାନ ଆସନ୍ତା ୨୯ ତାରିଖରେ ହେବ ।