ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ମହାମହିମ

ବାରିପଦା: ମହାମହିମଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଶେଷଦିନ । ଅନ୍ତିମ ଦିନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି । ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି । ଏହି ଅବସରରେ ମାଙ୍କିଡିଆ, ଲୋଧା ଆଦି କେତେକ ପ୍ରାଚୀନ ଜନଜାତିର ପ୍ରତିନିଧିଙ୍କୁ ଭେଟିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରିବେ ସମ୍ମାନସୂଚକ ଡକ୍ଟରେଟ୍ । ପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତି ହେବା ପରେ ପ୍ରଥମଥର କରି ଜନ୍ମମାଟିରେ ଆସିଥିଲେ ମହାମହିମ । ନିଜ ଗାଁ ପାହାଡ଼ପୁର ଯାଇ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଗତକାଲି ଦ୍ବିତୀୟ ଦିନରେ ରାଇରଙ୍ଗପୁରସ୍ଥିତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ପରିଦର୍ଶନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ସହ ଶିମିଳିପାଳ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି ।