ଆଜି ପବିତ୍ର ଇଦ, ମସଜିଦରେ ଚାଲିଛି ସାମୁହିକ ନମାଜ ପାଠ

ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଇଦ। ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଆଜି ହେଉଛି ଶେଷଦିନ । ଇଦ ପାଇଁ ସାରା ଦେଶ ଉତ୍ସବ ମୁଖର। ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇଛନ୍ତି । ପାରମ୍ପରିକ ଭାବରେ କୁର୍ତ୍ତା, ପାଇଜାମା ଏବଂ ଟୋପି ପିନ୍ଧି ଏକତ୍ରିତ ହୋଇ ସମସ୍ତେ ଇଦ ପାଳନ କରୁଛନ୍ତି।
ମସଜିଦରେ ସାମୁହିକ ନମାଜ ପାଠ ଚାଲିଛି। ମୁସଲମାନ ମାନଙ୍କ ପାଇଁ ଇଦ ଏକ ବଡ଼ ପର୍ବ । ଇଦ୍ ସହ ଶେଷ ହୁଏ ଦୀର୍ଘ ଏକ ମାସ ଧରି ଚାଲିଥିବା ଉପବାସ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ କୁହାଯାଏ । ଏହି ସମୟରେ ଦାନଧର୍ମ କରାଯାଇଥାଏ । ଏହା ମଧ୍ୟ ବିଶ୍ଵାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଈଶ୍ବର ସାରାବର୍ଷର ପାପ କ୍ଷମା କରନ୍ତି ଏବଂ ପୁଣ୍ୟ ମିଳିଥାଏ। ଇଦ୍ ଅବସରରେ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡ଼ାକଡି ।