ଆଜି ଭାରତ-ଜିମ୍ବାଓ୍ୱେ ପ୍ରଥମ ଦିନିକିଆ

1 min read

ହରାରେ: ଆଜିଠାରୁ ଭାରତ-ଜିମ୍ବାୱେ ଦିନିକିଆ ସିରିଜ୍ ଆରମ୍ଭ ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ଆଜି ଦିନ ୧୨ଟା ୪୫ରୁ ଆରମ୍ଭ ହେବ । ହରାରେସ୍ଥିତ ହରାରେ ସ୍ପୋଟ୍‌ର୍ସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଜିମ୍ବାୱେ ଗସ୍ତରେ ଥିବା ଭାରତୀୟ ଟିମ୍ ଟକ୍କର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ସିରିଜର ପରବର୍ତ୍ତୀ ମ୍ୟାଚ ୨୦ ଓ ୨୨ ତାରିଖରେ ଖେଳାଯିବ । ଏହି ସିରିଜରେ କେଏଲ ରାହୁଲଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଏସିଆ କପକୁ ଦୃଷ୍ଟିରେ ରଖି ଭାରତର ବରିଷ୍ଠ ଖେଳାଳିମାନଙ୍କୁ ଏହି ଶୃଙ୍ଖଳାରୁ ବାଦ ଦିଆଯାଇଛି ।

ଜିମ୍ବାୱେ ବିପକ୍ଷରେ ଯୁବ ପ୍ରତିଭାମାନଙ୍କୁ ଅଧିକ ସୁଯୋଗ ମିଳିଛି । ଶିଖର ଧାଓ୍ୱନ, ରାହୁଲ, ଶୁଭମନ ଗିଲ୍, ଦୀପକ ହୁଡା ଓ ସଞ୍ଜୁ ସାମସନଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଲାଇନ୍ ଦଳ ପାଇଁ ବଡ଼ ସ୍କୋର ହାସଲ କରିବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି । ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଦୀପକ ଚହର, କୁଲଦୀପ ଯାଦବ ଓ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର ଓ ଅକ୍ଷର ପଟେଲଙ୍କୁ ନେଇ ଭାରତୀୟ ବୋଲିଂ ବେଶ୍ ସୁଦୃଢ଼ ରହିଛି । ଅନ୍ୟପକ୍ଷରେ ଜିମ୍ବାଓ୍ୱେ ବ୍ୟାଟର ସିକନ୍ଦର ରାଜା, ଚକଭା, ଇନୋସଣ୍ଟ କାଇଆଙ୍କ ପ୍ରଦର୍ଶନ ଉପରେ ଅଧିକ ନିର୍ଭରଶୀଳ ହେବ ।