ମନ୍ଦିର ପ୍ରତିଷ୍ଠା ଯଜ୍ଞର ଆଜି ପଞ୍ଚମଦିନ, ମନ୍ତ୍ରଧ୍ୱନିରେ କମ୍ପୁଛି ପୀଠ ସାଙ୍ଗକୁ ରତ୍ନଗିରି ପର୍ବତ

1 min read

ବ୍ରହ୍ମପୁର: ମାଆ ତାରାତାରିଣୀ ମନ୍ଦିରରେ ଚାଲିଛି ନବକଳେବର ଉତ୍ସବ । ମନ୍ତ୍ର ଧ୍ୱନିରେ କମ୍ପୁଛି ରତ୍ନଗିରି ପର୍ବତ । ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବର ପଞ୍ଚମଦିନ । ପାର୍ଶ୍ୱ ଦେବଦେବୀଙ୍କ ଆଜି ସ୍ନାନଯାତ୍ରା ରହିଛି । ଏନେଇ ସେବାୟତଙ୍କ ଦ୍ୱାରା ହୋମ ଯଜ୍ଞର ଆୟୋଜନ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଷ୍ଠା ଉତ୍ସବ ।

ବ୍ରହ୍ମପୁରଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ । ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ମନ୍ଦିର ରୂପାନ୍ତରର ଭୂମି ପୂଜନ କରାଯାଇଥିଲା । ପୂର୍ବରୁ ଭକ୍ତମାନେ ଅନେକ ପାହାଚ ଚଢ଼ି ମା’ ଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ମା’ ତାରାତାରିଣୀଙ୍କ ପୀଠର ଆଜି ବଦଳିଛି କାୟାକଳ୍ପ । ଏବେ ରୋପ୍‌ ୱେ ସହ ପୀଠକୁ ରହିଛି ସୁନ୍ଦର ରାସ୍ତା ।

ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହା ସହିତ ନଦୀ କୂଳ ସଡ଼କକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି । ଏହି ଭବ୍ୟ ମନ୍ଦିର ନିର୍ମାଣରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ବିଶେଷ ଅବଦାନ ରହିଥିଲା ।