ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ, ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ

1 min read

ଭୁବନେଶ୍ୱର: ମଧୁବାବୁ । ଓଡ଼ିଶା ମାଟିର ତଥା ଓଡ଼ିଆ ଜାତିର ସ୍ବାଭିମାନ । ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ । ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ । ସବୁ ପ୍ରଥମ ଭିତରେ ସେ ଥିଲେ ପ୍ରଥମ । ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ମଧୁସୁଦନ । ସେଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଆ ଭାଷାର ପରିଚୟ ସହ ଏକ ଭାଷାଭିତ୍ତିକ ରାଜ୍ୟ ଗଠନର ସେ ଥିଲେ ମୁଖ୍ୟ ପୁରୋଧା । କୋ-ଅପରେଟିଭ ସମବାୟ ବିକ୍ରୟ କେନ୍ଦ୍ର, ଶିଙ୍ଘ ଓ ତାରକସୀ କାମ ଏବଂ ଜୋତା ତିଆରି କାରଖାନା, ଚୌଧୂରୀ ବଜାରଠାରେ ଓଡ଼ିଆ ଆର୍ଟ ଓ୍ବେର ଏବଂ ଚାଉଳିଆଗଞ୍ଜରେ ଉତ୍କଳ ଟ୍ୟାନେରୀ ତାଙ୍କ ଶିଳ୍ପ ମାନସିକତାର ବାସ୍ତବିକ ରୂପରେଖ ଥିଲା । ଓଡ଼ିଶାରେ ସଫଳ ଶିଳ୍ପାୟନ ଲାଗି ସେ ଲଣ୍ଡନ ଯାଇ ଆଧୁନିକ ଅନୁଭବ ସାଉଁଟିଥିଲେ ।

ଗ୍ରାମାଞ୍ଚଳରେ ସୂତାକଟା ଓ ଲୁଗାବୁଣା ଶିଳ୍ପର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧୁବାବୁ । ଉତ୍କଳ ଟ୍ୟାନେରୀ ଥିଲା ଓଡ଼ିଶାର ପ୍ରଥମ ଜଏଣ୍ଟ ଷ୍ଟକ କମ୍ପାନୀ । ଯାହାକୁ ନେଇ ଏକ ପ୍ରଗତିଶୀଳ ଓଡ଼ିଶାର ସ୍ବପ୍ନ ବୁଣିଥିଲେ ଓଡ଼ିଶାବାସୀ । ଓଡ଼ିଆ ଜାତିର ଅସ୍ମିତାଙ୍କ ଜନ୍ମମାଟିର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସତ୍ୟଭାମାପୁରରେ ‘ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହୋଇଛି  । ଏଥିରେ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ, ପିଲା ଦିନର ବିରଳ ଫଟୋ, ଜନ୍ମ ଜାତକ, ଢିଙ୍କି ଆଦି ବିଭିନ୍ନ ବିରଳ ସାମଗ୍ରୀ ସ୍ଥାନ ପାଇଛି ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି । ଏହି ଗ୍ରାମକୁ  ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବା ପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିଛି  । ଖୁବଶୀଘ୍ର ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ । ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ । ସତ୍ୟଭାମାପୁରରେ ପହଞ୍ଚିବା ପରେ ଖଣ୍ଡେଲାଇଟ୍ ପଥରରେ ସ୍ବାଗତ ତୋରଣ  କରାଯିବ । କର୍ମଭୂମୀ ନିକଟରେ ଏକ ପାର୍କିଂ ସ୍ଥାନ ମଧ୍ୟ କରାଯିବ । କିଛିଦିନ ତଳେ ଜନ୍ମପୀଠ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟକୁ ଅତ୍ୟନ୍ତ ଉଚ୍ଚ କୋଟିର କରି ଯୋଜନା କରିବାକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ ।