ଆଜି ସାବିତ୍ରୀ ଅମାବାସ୍ୟା: ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା
ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା। ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ପୂଜା ପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ।
ଜ୍ୟେଷ୍ଠ ଅମାବାସ୍ୟା ‘ସାବିତ୍ରୀ ଅମାବାସ୍ୟା’ ଭାବରେ ଖ୍ୟାତ ଏବଂ ପ୍ରତି ଓଡ଼ିଆ ଘରେ ଏହା ସଧବା ସ୍ତ୍ରୀମାନଙ୍କର ଏକ ପବିତ୍ର ବ୍ରତ ରୂପେ ପାଳିତ ହୁଏ।ଯମରାଜଙ୍କ ପଛରେ ଯାଇ ସ୍ବାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ। ହାତରେ ଭୋଗ, ମନରେ ଉତ୍ସାହ ନେଇ ଦେବାଳୟକୁ ଯାଇଛନ୍ତି ସଧବା। ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ । ବିଶେଷ କରି ଆମ୍ବ, ପଣସ, ନଡିଆ, ଫୁଟି କାକୁଡି, ତାଳ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି।
ଏ ବ୍ରତକଥାର ବାର୍ତ୍ତା ହେଉଛି, ଜ୍ୟେଷ୍ଠ ଅମାବାସ୍ୟା ଦିନ ଯିଏ ସାବିତ୍ରୀଙ୍କ ନାମ ସ୍ମରଣ କରି ବ୍ରତ କରିବ, ସେ ଜନ୍ମେ ଜନ୍ମେ ସଧବା ରହିବ। ପତିପରାୟଣା ଓ ପୁତ୍ରବତୀ ହୋଇ ଅନ୍ତିମକାଳରେ ବୈକୁଣ୍ଠ ପୁରକୁ ଯିବ।