ଆଜି ମାଣ୍ଡିଆ ଦିବସ ପାଳୁଛି ଓଡ଼ିଶା , ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।

ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।

ଅନ୍ତର୍ଜାତୀୟ ସମ୍ମିଳନୀର ଆଜି ଦ୍ବିତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏସଏଚଜି ଏସଏମଇରେ ରୂପାନ୍ତରିତ ହେବାରେ କିଭଳି ମାଣ୍ଡିଆ ଉପଯୋଗୀ ହୋଇଛି ସେନେଇ ଆଲୋଚନା କରାଯିବ । ରାଉଣ୍ଡଟେବୁଲ ବୈଠକରେ ମାଣ୍ଡିଆକୁ ବିଶ୍ବରେ ପହଞ୍ଚାଇବାକୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ପରିଶେଷରେ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି ।

ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଏଦିଗରେ ସଚେତନ ହୋଇ ଖାଦ୍ଯ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ସେହିପରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଣବ କହିଛନ୍ତି, ଖାଇଲେ ମାଣ୍ଡିଆ, ରହିବା ବଢିଆ। କ୍ଷେତରୁ ଆମ ଖାଦ୍ୟଥାଳିରେ ମିଲେଟସକୁ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ମାଣ୍ଡିଆ ଦିବସରେ ଶପଥ ନେବାକୁ ସେ ଆହ୍ବାନ ଦେଇଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ମାଣ୍ଡିଆଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନିତିଦିନିଆ ଖାଦ୍ୟରେ ସ୍ଥାନ ଦେବା ଏବଂ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ସମସ୍ତେ ମିଳିତ ହୋଇ ସଂକଳ୍ପ ନେଇ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରି ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା ବୋଲି ରଣେନ୍ଦ୍ର କହିଛନ୍ତି ।