ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ୍, ଉତ୍ତରାୟଣକୁ ଗତି କରିବେ ସୂର୍ଯ୍ୟ

ଭୁବନେଶ୍ୱର: ଆଜି ମକର ସଂକ୍ରାନ୍ତି । ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ । ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥାନ୍ତି । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀଜିଉଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ । ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ ।

ଏପଟେ ଦୁଇବର୍ଷ ପରେ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଅଟ୍ରିର ହଟକେଶ୍ବର ପୀଠ । ବିଶ୍ବାସ ରହିଛି ବନ୍ଧ୍ୟା ନାରୀ ମହାଦେବଙ୍କ ପାଖରେ ଗୁହାରି ପଡ଼ି ମାନସିକ କୁଣ୍ଡରେ ଗାଧୋଇ ଗୁଆ ପାଇଲେ ପୁତ୍ରସନ୍ତାନ ଲାଭ କରନ୍ତି । ପୀଠରେ ମକର ସଂକ୍ରାନ୍ତିଠାରୁ ମାଘ ସପ୍ତମୀ ପର୍ଯ୍ୟନ୍ତ ମେଳା ଚାଲିବ ।