ଆଜି ପବିତ୍ର ମହାଳୟା, ପିତୃପୁରୁଷଙ୍କ ସହ ନିଜ ମାମୁଁଘର ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ମହାଳୟା । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କୁ ଆବାହନ କରି ପିଣ୍ଡ ଦାନ କରିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ପିତୃପକ୍ଷର ଅନ୍ତିମ ଦିବସ ହୋଇଥିବାରୁ ଆଜି ପ୍ରବଳ ଭିଡ଼ ହୋଇଛି ।

ଆଶ୍ବୀନ କୃଷ୍ଣ ପ୍ରତିପଦା ଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତିଳତର୍ପଣ ଦିଆଯାଇଥିବା ବେଳେ ଆଜି ମହାଳୟାରେ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି ।