spot_img

Latest Posts

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗା ଭସାଇବାକୁ ସବୁଠି ଭିଡ଼

ଭୁବନେଶ୍ବର: ଆ କା ମା ବୈ ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ପୁସ୍କରିଣୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଯାଇଛି । ଭୋରରୁ ଜଳାଶୟରେ ପରମ୍ପରା ପାଳନ କରାଯାଇଛି । ପୁରୀ ମହୋଦଧୀ, ତୀର୍ଥ ପୁଷ୍କରିଣୀ, ଭୁବନେଶ୍ବର ବିନ୍ଦୁସାଗର, କଟକ ନଈପଠା ଓ ଯାଜପୁର ଦଶ୍ବାଶମେଧ ଘାଟ ପରି ଅନେକ ତୀର୍ଥ ସ୍ଥାନରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ସେପଟେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ରାଜରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ  ।

ଦ୍ବାର ଫିଟିବା ପରେ ମଙ୍ଗଳଆଳତି, ମଇଲମ, ଅବକାଶ ଆଦି ନୀତି କରାଯାଇ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ କରାଯାଇଛି । ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ହରିଡ଼ା ମାଳି, ବାହାଡା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡା ମାଳି, ବାଘ ନଖ ମାଳି, ଆଦି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ସାଆନ୍ତେଙ୍କ ଦୁର୍ଲଭ ଦର୍ଶନ କରି କୃତାର୍ଥ ହେଉଛନ୍ତି ଭକ୍ତ । ରାଜରାଜେଶ୍ୱର ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳିବା ସହ ଐଶ୍ବର୍ଯ୍ୟ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଜନସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗହଳି ନିୟନ୍ତ୍ରଣ ପାଇଁ ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେଇକିଲ ଜୋନ କରାଯାଇଛି। ଧାର୍ଯ୍ୟ ସ୍ଥାନ ବ୍ୟତୀତ ସମୁଦ୍ରକୂଳ ପୋଲିସ ଷ୍ଟେସନଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗାଡ଼ି ପାର୍କିଂ କରାଯିବ ନାହିଁ। ରାସ୍ତାରେ ଉଠା ଦୋକାନ ପୂର୍ବ ଭଳି ବନ୍ଦ ରହିଛି । ସୁରକ୍ଷା ଦାୟିତ୍ବରେ ୫୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ସମୁଦ୍ରକୂଳରେ ଅଗ୍ନିଶମ ବାହିନୀ, ଲାଇଫ ଗାର୍ଡ, ସ୍ବେଛାସେବୀ ଓ ପୋଲିସ ପ୍ରଶାସନ ସ୍ବତନ୍ତ୍ର ନଜର ରଖିଛନ୍ତି ।

Latest Posts

Don't Miss