ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀଜିଉଙ୍କ ନିକଟରେ ଲାଗିହେବ ହୀରା ଖଚିତ ଚିତା

ପୁରୀ: ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା । ପତି ମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଏହି ଚିତା ଲାଗି କରିବେ । ମହାପ୍ରଭୁ ଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା  ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ ।

ସ୍ନାନପୂର୍ଣ୍ଣମୀରେ ସ୍ନାନ ପରେ ମହାପ୍ରଭୁ ଅଣସର ଘରେ ଥିଲେ। ସେହି ସମୟରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ଚିତା ଗୁଡିକୁ କାଢ଼ି ନିଆଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ହୀରା ଖଚିତ ଚିତା ଲାଗି କରାଯିବ । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।