ସରିଲା ଦଶହରା, ଆଜି ବିଦାୟ ନେବେ ମାଆ

1 min read

ଭୁବନେଶ୍ବର: ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା  । ଆଜି ବିଦାୟ ନେବେ ମାଆ  । ଅନୁଷ୍ଠିତ ହେଉଛି ମହାମାୟାଙ୍କର ଭସାଣ ଉତ୍ସବ । ବିସର୍ଜନ ପାଇଁ କରାଯାଇଛି ଅସ୍ଥାୟୀ ପୋଖରୀ । ଭସାଣକୁ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ପୂଜା କମିଟି ଯୋଜନା କରିଛନ୍ତି । ନାସିକ ଢୋଲରେ କମ୍ପିବ ରାଜରାସ୍ତା । ଆକ୍ସନ ଦେଖାଇବେ ଅଘୋରୀ ଗ୍ରୁପ ।

ମାଆଙ୍କୁ ମେଲାଣି ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି କରିଛନ୍ତି । ରାଜଧାନୀ ଭୁବନେଶ୍ବରରେ ମାଆଙ୍କ ଭସାଣ ଉତ୍ସବ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ସମୟରେ ଯେଭଳି ଟ୍ରାଫିକ ସମସ୍ୟା ଉପୁଜିବ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି  । ରାଜଧାନୀରେ ମୋଟ ୩୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ସ୍ଥାନରେ ନଜର ରଖିବେ । ମାଆଙ୍କୁ ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ନଦୀ ଭିତରକୁ ଯିବା ଉପରେ କଟକଣା କରାଯାଇଛି । ଅସ୍ଥାୟୀ ପୋଖରୀ ଗୁଡ଼ିକ ନିକଟରେ ପୋଲିସ ମୁତୟନ ହେବାକୁ ଥିବାବେଳେ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ବୋଟ ଧରି ଉପସ୍ଥିତ ରହିବେ ।

ଭୁବନେଶ୍ବରରେ ମୋଟ ୧୮୮ଟି ପୂଜା ମେଢ଼ ରହିଛି।  ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ତିନୋଟି ଭସାଣ କମିଟି ଦ୍ବାରା ମେଢ଼ ଗୁଡିକ ଶୋଭାଯାତ୍ରାରେ ଯିବେ । ସହିଦନଗର ଭସାଣ କମିଟିକୁ ଆସୁଥିବା ମେଢ଼ ଗୁଡିକ ବାଣୀବିହାର ଛକରୁ ଶୋଭାଯାତ୍ରାରେ ବାହାରି ରୂପାଲି ଛକ ଦେଇ ରାଜମହଲ ପର୍ଯ୍ୟନ୍ତ ଆସିବେ । ନୟାପଲ୍ଲୀ ଭସାଣ କମିଟି ମେଢ଼ ଗୁଡିକ CRP ଛକ ଦେଇ ୟୁନିଟ-୮ ଦେଇ ୬ ନମ୍ବର ପର୍ଯ୍ୟନ୍ତ ଆସିବେ । ସେହିପରି ଚନ୍ଦ୍ରଶେଖରପୁର ଭସାଣ କମିଟି ମେଢ଼ ଗୁଡିକ କଳିଙ୍ଗ ହସ୍ପିଟାଲ ଛକ ଦେଇ ନଦୀ ପଠାକୁ ଯିବେ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ଉପରେ ଅଧିକ ଫୋକସ ଦେଇଛି କମିଶନରେଟ ପୋଲିସ । ଶୋଭାଯାତ୍ରା ବେଳେ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ସିଲ କରାଯିବ। ଅପରାହ୍ନ ୩ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ସହର ଭିତରେ ଭାରିଯାନ ଚଳାଚଳ ଉପରେ କଟକଣା ଥିବା ବେଳେ ଟ୍ରାଫିକ ନିୟମ ବଳବତ୍ତର କରିବ ପୋଲିସ ।