ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଅଖିମୁଠି ଅନୁକୂଳ କରିବେ ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିବେ ଚାଷୀମାନେ । ଏହି ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିଛିଦିନ ତଳେ ଚାଷୀଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାର ଅର୍ଥ ପ୍ରଦାନ କରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି । ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି ।

ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ସହାୟତା ଦିଆଯାଉଛି । ବିନାସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏ କୃଷିଋଣ ଦିଆଯାଉଛି । ସ୍ଵତନ୍ତ୍ର କୃଷି ବଜେଟ୍ ଆଣିବା ସହ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ।