ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ: ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ ଆର୍ମୀ

1 min read

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ । ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ ।

୧୮୯୫ ମସିହା ଏପ୍ରିଲ ୧ ତାରିଖରେ ବ୍ରିଟିଶ-ଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା । ପରେ ଜେନେରାଲ ଫ୍ରାନସିସ ବଚର ଏହାର ମୁଖ୍ୟ ହୋଇଥିଲେ । ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ନିଜର ପ୍ରଥମ ସେନାମୁଖ୍ୟ ପାଇଥିଲା । ଜେନେରାଲ ଫ୍ରାନସିସଙ୍କଠାରୁ ଦାୟିତ୍ବ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ କେ.ଏମ. କାରିଆପ୍ପା । ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳି ଆସୁଛି ।

ଏହି ଦିବସ ଅବସରରେ ଭାରତୀୟ ସେନାକୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି । ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେବ ଚିତ୍ତାକର୍ଷକ ପରେଡ । ପରେଡରେ ପ୍ରଦର୍ଶିତ କରାଯିବ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର । ଭାରତୀୟ ଯବାନଙ୍କ ତ୍ୟାଗ, ବଳିଦାନ ସହ ଜଡ଼ିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ସମ୍ବର୍ଦ୍ଧିତ କରାଯିବ । ଉତ୍ସବରେ ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ପ୍ରଦର୍ଶିତ କରିବା ସହ ରଙ୍ଗାରଙ୍ଗ ପରେଡ କରିବେ ।