ଭାରତ-ବାଂଲାଦେଶ ମଧ୍ୟରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ
ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି । ଏହାରି ଭିତିରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି । ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ କରାଯିବ । ଏନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ ।
ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଅତିକ୍ରମ କରିଥିବାରୁ କେତେକ ଭାରତୀୟ ନାଗରିକଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷ ଗିରଫ କରିଥିଲେ । ସେହିପରି କେତେକ ବାଂଲାଦେଶୀ ଧୀବରଙ୍କୁ ଭାରତ ଗିରଫ କରିଛି । ଦୁଇ ଦେଶ ମଧ୍ଯରେ ହୋଇଥିବା ବୁଝାମଣା ଅନୁସାରେ ୯୫ ଜଣ ଭାରତୀୟଙ୍କୁ ତଟରକ୍ଷୀ ବାହିନୀ ହାତରେ ଅର୍ପଣ କରିବେ ବାଂଲାଦେଶ କର୍ତ୍ତୃପକ୍ଷ । ସେହିପରି ୯୦ ଜଣ ବାଂଲାଦେଶୀ ଧୀବରଙ୍କୁ ମୁକ୍ତ କରିବ ଭାରତ । ଦୁଇ ଦେଶର ତଟରକ୍ଷୀ ବାହିନୀ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଥିଲା ।
ଏହି ଅଦଳବଦଳ ପ୍ରକ୍ରିୟା ସୁରୁଖୁରୁରେ ହେବ ବୋଲି କହିଥିଲେ ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ବିଭାଗ ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ । ଗତ ଡିସେମ୍ବରରେ ବାଂଲାଦେଶକୁ ଭାରତର ବୈଦେଶିକ ସଚିବ ବିକ୍ରମ ମିଶରିଙ୍କ ଗସ୍ତ ପରେ ଏହା ହେଉଛି ଦୁଇ ଦେଶ ମଧ୍ଯରେ ଏକ ଉଲ୍ଲେଖନୀୟ ସମ୍ପର୍କର ନିଦର୍ଶନ । ବିଭିନ୍ନ ସମୟରେ ବାଂଲାଦେଶର ୯୦ ଜଣ ନାଗରିକଙ୍କୁ ଗିରଫ କରିଛି ଭାରତ । ସେମାନେ ବର୍ତ୍ତମାନ ବିଭିନ୍ନ ଜେଲରେ ଅଛନ୍ତି ।