ଆଜି ଭାରତ-ପାକିସ୍ତାନ ଟକ୍କର, ଜାଣନ୍ତୁ କଣ ରହିଛି ଟକ୍କର

1 min read

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନସ ଟ୍ରଫିରେ ଆଜି ସବୁଠାରୁ ବଡ଼ ମ୍ୟାଚ୍। ହାଇଭୋଲଟେଜ୍ ଇଣ୍ଡିଆ-ପାକିସ୍ତାନ ଟକ୍କର। ଦୁବାଇରେ ହେବ ଏହି ମ୍ଯାଚ। ମୁହାଁମୁହିଁ ହେବ ଦୁଇ ପ୍ରତିନ୍ଦ୍ଵନ୍ଦ୍ଵୀ ଭାରତ –ପାକିସ୍ତାନ। ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭାରତ ୬ ୱିକେଟରେ ହରାଇଥିବାରୁ ଖେଳାଳିଙ୍କ ଆତ୍ମବିଶ୍ଵାସ ଦୃଢ ରହିଛି। ଆଜିର ମ୍ୟାଚ ଜିତିଲେ ଟିମ୍ ଇଣ୍ଡିଆ ସେମିଫାଇନାଲର ପ୍ରମୁଖ ଦାବିଦାର ହେବ। ଭାରତର ପ୍ଲେଇଂ ଇଲେଭେନ ଉପରେ ରହିଛି ସମସ୍ତଙ୍କ ନଜର। ଜଣାପଡୁଛି ଏକ ଅତିରିକ୍ତ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିପାରେ। ଏପରି ହେଲେ ହର୍ଷିତ ରାଣା ବାଦ୍ ପଡ଼ିବେ। ସେପଟେ ବ୍ଯାଟିଂରେ ଟପ୍ ଅର୍ଡର ହିଁ ଟ୍ରମ୍ପ କାର୍ଡ ହେବ। ଚେଜ୍ ମାଷ୍ଟର କୋହଲିଙ୍କ ଉପରେ ସମସ୍ତଙ୍କ ନଜର। ସେପଟେ ପାକିସ୍ତାର ବଳ ହେଉଛି ଫାଷ୍ଟ ବୋଲିଂ। କିନ୍ତୁ ସ୍ପେଶାଲିଷ୍ଟ ସ୍ପିନର ନାହାନ୍ତି। ଅବରାର ଅହମ୍ମଦ ଜଣେ ମାତ୍ର ସ୍ପିନର ଅଛନ୍ତି। ଆଜିର ମ୍ଯାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ଆଜି ଭାରତଠାରୁ ପାକିସ୍ତାନ ହାରି ଯାଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇପାରେ ଆୟୋଜକ ପାକିସ୍ତାନ ।

ଏପଟେ ସୁପର ସନ୍ ଡେ’ର ସୁପର ମୁକାବିଲାକୁ ଭାରତ ଚାହିଁ ବସିଛି । କାରଣ ପାକିସ୍ତାନ ପାଖରୁ ଭାରତକୁ ୮ ବର୍ଷ ପୂର୍ବର ପ୍ରତିଶୋଧ ନେବାକୁ ସୁଯୋଗ ମିଳିଛି । ଭାରତ ଏହି ସୁଯୋଗକୁ କେବେ ହାତଛଡ଼ା କରିବାକୁ ଚାହିଁବ ନାହିଁ । ଆଉ ୨୦୧୭ର ପ୍ରତିଶୋଧ ନେବାକୁ ପୂରା ଭାରତୀୟ କ୍ରିକେଟ୍ ଟିମ ସମେତ ସାରା ଦେଶ ଚାହିଁ ବସିଛି ।

ଦୁବାଇ ମାଟିରେ ଭାରତ ହାବୁଡ଼ରେ ପଡ଼ି ଗଲେ ପାକିସ୍ତାନ ବନିଯାଏ ଭିଗି ବିଲି । ଏଠାରେ ଭାରତ ନାଁ ଶୁଣିଲେ ଥର ଥର କମ୍ପନ୍ତି ପାକିସ୍ତାନୀ ଖେଳାଳି । କାରଣ ଦୁବାଇରେ ପାକିସ୍ତାନ ବିରୋଧରେ ଭାରତ ଉଇନିଂ ଷ୍ଟ୍ରାଇକ ରେଟ୍ 100 % ରହିଛି । ଉଭୟ ଦେଶ ଦିନିକିଆ ଫର୍ମାଟରେ ଦୁବାଇରେ ଦୁଇ ଥର ପରସ୍ପରକୁ ଭେଟିଛନ୍ତି । ଆଉ ଦୁଇ ଥର ଭାରତ ବିଜୟ ହାସଲ କରିଛି । ଏହି ଦୁଇଟି ମ୍ୟାଚ ୨୦୧୮ରେ ଏସିଆ କପରେ ଖଳା ଯାଇଥିଲା । ଗ୍ରୁପ ଷ୍ଟେଜରେ ଭାରତ ପାକିସ୍ତାନକୁ ୮ ଓ୍ବିକେଟରେ ହରାଇ ଥିବା ବେଳେ ସୁପର ଫୋରରେ ନଅ ଓ୍ବିକେଟରେ ଧୂଳି ଚଟାଇ ଥିଲା ।

ପୁଣି ୭ ବର୍ଷ ପରେ ଭାରତ ଓ ପାକିସ୍ତାନ ଦୁବାଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଉ ଏହି ମ୍ୟାଚ ଜିତି ଭାରତ ୨୦୧୭ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଅନାଇ ବସିଛି । ରାତି ପାହିବାକୁ ଅପେକ୍ଷା, ଭାରତ ହାତରୁ ପାକିସ୍ତାନର ଆଉ ଏକ ପରାଜୟ ଦେଖିବାକୁ କ୍ରିକେଟ ପ୍ରେମୀ ଅନାଇ ବସିଛନ୍ତି ।