ଆଜି ହେବିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ଚାଲିଛି ତୃତୀୟ ପର୍ଯାୟ ମତଦାନ । ଦେଶରେ ୫୮ ଆସନରେ ମତଦାନ ଚାଲିଥିବାବେଳେ ହେବିଓ୍ବେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଜି ମୋଟ ୮୮୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଥିବାବେଳେ ଦେଶର ବହୁ ହେବିଓ୍ବେଟ ରହିଛନ୍ତି । ଏହି ପର୍ଯ୍ୟାୟରେ ମନୋଜ ତିଓ୍ବାରୀ, କହ୍ନେୟା ଲାଲ, ମେନକା ଗାନ୍ଧୀ, ମେହବୁବା ମୁଫତି, ଅଭିଜିତ ଗଙ୍ଗୋପଧାୟ, ମନୋହର ଲାଲ ଖଟର, ନବୀନ ଜିନ୍ଦଲ, ରାଜ ବବର, ବନ୍ସୁରୀ ସ୍ବରାଜ,ଦୀନେଶ ଲାଲ ଯାଦବଙ୍କ ଭଳି ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେପଟେ ରାଜ୍ୟରେ ମଧ୍ୟ ହାଇପ୍ରୋଫାଇଲ ଆସନରେ ଭୋଟିଂ ହେଉଥିବାବେଳେ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

ସମସ୍ତଙ୍କ ନଜରରେ ରହିଛି ସମ୍ବଲପୁର ଲୋକସଭା । କାରଣ ଏଠାରେ ଚାଲିଛି ହାଇଭୋଲଟେଜ ଫାଇଟ୍ । ଏଠାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଲଢୁଥିବାବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ମୁଖ୍ୟତଃ ଲଢେଇ ପ୍ରଣବ ଓ ଧର୍ମେନ୍ଦ୍ରଙ୍କ ମଧ୍ଯରେ ହେଉଛି ।

ଅନ୍ୟତମ ହାଇଭୋଲଟେଜ ଆସନ ଭୁବନେଶ୍ବରରେ ବି ଆଜି ନିର୍ବାଚନ ହେଉଛି । ଏଠାରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର କ୍ଯାପନେଟ ମନ୍ମଥ ରାଉତରାୟଙ୍କ ମଧ୍ଯ ହେଉଛି ବଡ଼ ଫାଇଟ୍ । କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି ।

ପୁରୀରେ ଏଥର ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକଙ୍କ ମଧ୍ଯରେ ବଡ଼ ଲଢେଇ ଦେଖିବାକୁ ମିଳୁଛି । କଂଗ୍ରେସରୁ ଜୟ ନାରାୟଣ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି ।

ଅନ୍ଯପଟେ କଟକ ଆସନ ଉପରେ ବି ସମସ୍ତଙ୍କର ନଜର ରହିଛି । ଏଠାରେ ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ ଦେଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଏହି ଲୋକସଭା ବ୍ଯତୀତ ଢେଙ୍କାନାଳ ଓ କେନ୍ଦୁଝରରେ ବି ସଭିଙ୍କର ନଜର ରହିଛି ।

କେନ୍ଦୁଝରରେ ବିଜେଡି ଧନୁର୍ଜୟ ସିଦ୍ଧୁ, ବିଜେପି ଅନନ୍ତ ନାୟକ ଓ କଂଗ୍ରେସ ବିନୋଦ ବିହାରୀ ନାୟକଙ୍କୁ ଟିକେଟ ଦେଇଛି ।

ଢେଙ୍କାନାଳରେ ବିଜେଡିର ଅବିନାଶ ସାମଲ, ବିଜେପିର ରୁଦ୍ର ନାରାୟଣ ପାଣି ଓ କଂଗ୍ରେସର ସସ୍ମିତା ବେହେରାଙ୍କ ମଧ୍ଯରେ ଲଢେଇ ଦେଖିବାକୁ ମିଳୁଛି ।