ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରସ୍ତୁତି ବୈଠକ । ଦିନ ସାଢେ ୧୦ ଟାରେ ଲୋକସେବା ଭବନରେ ବସିବାକୁ ଥିବା ବୈଠକର ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ଭିତରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷରୁ ଫନୀ, ୟଶ ଓ ଅମ୍ପନ ପରି ବାତ୍ୟା ମେ ମାସ ଖରା ଦିନେ ଆସି ରାଜ୍ୟରେ ତାଣ୍ଡବ ସୃଷ୍ଟି କରିଥିଲା ।

ଏହାକୁ ନେଇ ପ୍ରତି ବର୍ଷ ଖରା ଦିନେ ବି ବାତ୍ୟା ମୁକାବିଲା ପାଇଁ ବୈଠକ ବସୁଛି । ଏ ନେଇ ସମସ୍ତ ତଥ୍ୟ ଓ ଦସ୍ତାବିଜ ନେଇ ବୈଠକରେ ଯୋଗ ଦେବାକୁ ସବୁ ସରକାରୀ ବିଭାଗକୁ ଚିଠି ଲେଖିଥିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ । ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖୀ ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ।

ରାସ୍ତା ମରାମତି, ବିଦ୍ୟୁତ ପୁନଃସଂଯୋଗୀକରଣ, ରାସ୍ତା, ଚାଷ ସୁରକ୍ଷା ପାଇଁ କନଟିଜେନସି ପ୍ଲାନ ସମେତ ବାତ୍ୟା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବି ବୈଠକରେ ଖସଡ଼ା ପ୍ରସ୍ତୁତ ହେବ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲଟିକୁ ସବୁବେଳେ ଗୁରୁତ୍ବ ଦେଇଛନ୍ତି । ସବୁ ଜୀବନ ମୂଲ୍ୟବାନ ଏଜେଣ୍ଡାରେ କାମ କରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।