ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଭୋଟିଂ ଆଜି: ବିଜେପି-ଆପ୍ ସିଧା ଟକ୍କର

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ନଗର ନିଗମ ନିର୍ବାଚନ ଭାରତରେ ହେବାକୁ ଯାଉଛି । ଆଉ ଏହି ନଗର ନିଗମଟି ହେଲା ଦିଲ୍ଲୀ ନଗର ନିଗମ । ବିଜେପି ଓ ଆପ୍ ମଧ୍ୟରେ ସିଧାସଳଖ ଟକ୍କର । ୨୫୦ ଓ୍ବାର୍ଡରେ ହେଉଥିବା ଏହି ନିର୍ବାଚନରେ ୧୩୪୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନ ଉଭୟ ବିଜେପି ଓ ଆପ୍ ପାଇଁ ଅଗ୍ନିପରୀକ୍ଷା ।

ଏପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ପ୍ରାୟ ୪୦ ହଜାର ପୋଲିସ କର୍ମୀ, ୨୦ ହଜାର ହୋମଗାର୍ଡ ଏବଂ ଅର୍ଦ୍ଧସୈନିକ ବଳ ତଥା ରାଜ୍ୟ ସଶସ୍ତ୍ର ପୋଲିସ ବଳର ୧୦୮ କମ୍ପାନୀ ନିୟୋଜିତ ହୋଇଛନ୍ତି । ସମ୍ୱେଦନଶୀଳ କ୍ଷେତ୍ରରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ୬୦ ଡ୍ରୋନର ବ୍ୟବହାର କରାଯିବ । ଏମସିଡିର ୨୫୦ ୱାର୍ଡରେ ନିର୍ବାଚନକୁ ନଜରରେ ରଖି ପୋଲିସ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ତଥା ମତଦାତାଙ୍କୁ ପ୍ରୋଲଭନ ଦେଖାଉଥିବା ଘଟଣା ଉପରେ ନଜର ରହିବ । ପୋଲିସ, ଅର୍ଦ୍ଧସୈନିକ ବଳ ଏବଂ ହୋମଗାର୍ଡ ଏଥିପାଇଁ ଅଭ୍ୟାସ ମଧ୍ୟ କରିଛନ୍ତି । ନିରପେକ୍ଷ ଆଚରଣ ପ୍ରଦର୍ଶନ କରିବା, ଉପଦ୍ରବୀଙ୍କୁ ନେଇ ସତର୍କ ରହିବା ଏବଂ ଆଦର୍ଶ ଆଚରଣ ସଂହିତା ଅନୁପାଳନ କରିବାକୁ ପ୍ରୋତ୍ସାହିତ କରାଯାଇଛି । ଏମସିଡି ନିର୍ବାଚନ ପାଇଁ ପୋଲିସ ପ୍ରସ୍ତୁତ ଅଛି । ଦିଲ୍ଲୀର ସାଉଥ୍ ଏବଂ ୱେଷ୍ଟ ଅଞ୍ଚଳର ୭ ଜିଲ୍ଲାରେ ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଆସନ୍ତା ୭ ତାରିଖରେ ଭୋଟ ଗଣତି ହେବ ।

ସୂଚନାଯୋଗ୍ୟ ଦିଲ୍ଲୀର ଏକ କୋଟି ୪୫ ହଜାର ଭୋଟର ୧୩୪୯ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ । ଏମାନଙ୍କ ମଧ୍ୟରେ ୧୦୦ ବର୍ଷରୁ ଅଧିକ ବୟସରର ୨୨୯ ଭୋଟର୍ ଅଛନ୍ତି । ୮୦ରୁ ୧୦୦ ବର୍ଷ ମଧ୍ୟରେ ୨ ଲକ୍ଷ ୪ ହଜାର ୩୦୧ ଅଛନ୍ତି । ନୂଆ ଭୋଟରଙ୍କ ସଂଖ୍ୟା ୯୫ ହଜାର ୪୫୮ ରହିଛି ।