ମୁମ୍ବାଇଠାରୁ ୧୫୦କିମି ଦୂରରେ ରହିଛି ବାତ୍ୟା ‘ନିସର୍ଗ’

ମୁମ୍ବାଇ: ସ୍ଥଳଭାଗ ଆଡକୁ ମାଡିଆସୁଛି ବାତ୍ୟା ନିସର୍ଗ । ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ମହାରାଷ୍ଟ୍ର କିମ୍ବା ଦକ୍ଷିଣ ଗୁଜରାଟର ତଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ନିସର୍ଗ । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ମହାରାଷ୍ଟ୍ରର ଆଲିବାଗ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ସହ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି । ମୁମ୍ବାଇ, ଥାନେ, ପାଲଘର ଓ ରାଇଗଡ ଅଞ୍ଚଳରେ ବାତ୍ୟାର ଅଧିକ ପ୍ରଭାବ ପଡିବ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ମୁମ୍ବାଇର ୧୫୦କିମି ଦୂରରେ ରହିଛି ବାତ୍ୟା ନିସର୍ଗ । ଅନୁମାନ କରାଯାଉଛି ଯେ ଲ୍ୟାଣ୍ଡଫଲ୍ ସମୟରେ ୬ଫୁଟ୍ ଉଚ୍ଚରେ ଜୁଆର ଉଠିବ ।

ବାତ୍ୟା ପ୍ରଭାବରେ ଗୁଜରାଟର କିଛି ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ଜାରି ରହିଛି । ପରିସ୍ଥିତିର ମୁକାବିଲା ପାଇଁ ଗୁରଜାଟ ସରକାର ପ୍ରସ୍ତୁତ ରହିଛନ୍ତି । ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ବାତ୍ୟାର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସେହିଭଳି ମୁମ୍ବାଇ ମହାନଗର ନିଗମ ପକ୍ଷରୁ ମଧ୍ୟ ବାତ୍ୟାର ମୁକାବିଲା ପାଇଁ ରଣନୀତି ଆରମ୍ଭ ହୋଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ ହୋଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଭାରତୀୟ ନୌସେନା, କୋଷ୍ଟ ଗାର୍ଡ ଓ ଏନଡିଆରଏଫ ଟିମ୍‌ ସଜାଗ ରହିଛନ୍ତି । ମହାରାଷ୍ଟ୍ରରେ ଏନଡିଆରଏଫର ୧୨ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ସେହିଭଳି ଗୁଜରାଟରେ ୧୭ଟି ଟିମ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ସଚେତନତା ଅଭିଯାନ ଆରମ୍ଭ କରିଛି ଏନଡିଆରଏଫ  ।

Leave a Reply