କଳାହାଣ୍ଡିବାସୀଙ୍କୁ ନବୀନ ଦେବେ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି, ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

କଳାହାଣ୍ଡି: ଚିକିତ୍ସା ଖର୍ଚ୍ଚ ପାଇଁ କଳାହାଣ୍ଡିବାସୀଙ୍କୁ ହେବାକୁ ପଡ଼ିବନି ଆଉ ହନ୍ତସନ୍ତ । ନିଜର ହେଉ କି ପରିବାରର, ଚିକିତ୍ସା ଖର୍ଚ୍ଚ ପାଇଁ ଆଉ ଏଠି ସେଠି ହାତ ପତାଇବାକୁ ପଡ଼ିବନି । କାରଣ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ପାଇଁ ଆଣୁଛନ୍ତି ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଆଜି ବାଣ୍ଟିବେ ସ୍ମାର୍ଟ ହେଲଥ କାର୍ଡ ।

ସ୍ମାର୍ଟ ହେବ କଳାହାଣ୍ଡି । ବିଏସକେଓ୍ବାଇରେ ଯୋଡ଼ି ହେବ ଆଉ ଏକ ସଫଳତାର ଫର୍ଦ୍ଦ । ଆଜି କଳାହାଣ୍ଡିରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ଼ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ଗସ୍ତରେ ଯାଇ ସାଢେ ୪ ଲକ୍ଷ ହିତାଧିକାରୀଙ୍କୁ ବିଏସକେଓ୍ବାଇ କାର୍ଡ଼ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଏଥିସହିତ ଜିଲ୍ଲାବାସୀଙ୍କୁ ଭେଟି ଦେବେ ଅନେକ ପ୍ରକଳ୍ପ ।

ସବୁ ରୋଗର ମାଷ୍ଟର କାର୍ଡ ହେଉଛି ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । ଗରିବଙ୍କ ଆଶା ବାଡ଼ି ସାଜିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ହିତାଧିକାରୀ ଏହି କାର୍ଡ଼ ଜରିଆରେ ପାଉଛନ୍ତି ଉନ୍ନତମାନର ଚିକିତ୍ସା ସୁବିଧା । ରାଜ୍ୟର କୋଣ, ଅନୁକୋଣରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଗରିବ ଲୋକ ଉପକୃତ ହେଉଛନ୍ତି । ରାଜ୍ୟରେ ସାଢେ ୩ କୋଟି ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି । ପୁରୁଷମାନେ ୫ଲକ୍ଷ ଓ ମହିଳାମାନେ ୧୦ ଲକ୍ଷ ଯାଏଁ ଚିକିତ୍ସା ସୁବିଧା ପାଇବେ । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଏହି ସୁବିଧା ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ରହିଛନ୍ତି ଜିଲ୍ଲାବାସୀ ।

ସେହିପରି ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ମାର୍ଟ କାର୍ଟ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏଥିପାଇଁ ନୂଆପଡ଼ା ଜିଲ୍ଲା ସଦର ମହକୁମା ସମେତ ୫ଟି ବ୍ଲକ ଓ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତୁତି ସରିଛି । ଜିଲ୍ଲାରେ ୧ ଲକ୍ଷ ୭୨ ହଜାର ୬୪୩ କାର୍ଡ ବଣ୍ଟନ ଶହ ୪ ଶହ ୭୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାରେ ୫ଜଣ ମନ୍ତ୍ରୀ ଆସୁଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ସମୀର ରଞ୍ଜନ ଦାସ ପହଞ୍ଚିଛନ୍ତି ।

Leave a Reply