ଆଜି ନବୀନ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର :  ଆଜି ବସିବ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହେବ । ଆଗାମୀ ଦିନରେ ହେବାକୁ ଦଳୀୟ କାର୍ଯ୍ୟକ୍ରମ ସହ ସାଂଗଠନିକ ନବକଳେବର ନେଇ ଆଲୋଚନା କରାଯିବ । ସଂଗଠନକୁ ଆହୁରି ମଜବୁତ କରିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଦଳ ତରଫରୁ ସଦସ୍ଯତା ସଂଗ୍ରହ, ପଦଯାତ୍ରା, ପଦାଧିକାରୀ ଚୟନ, ନୂଆ କମିଟି ଗଠନ ଆଦି କାର୍ଯ୍ଯକ୍ରମ ରହିଛି । ବୈଠକରେ ଏହି ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ । ଏହା ମଧ୍ଯରେ ୨୦ରୁ ଅଧିକ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିସାରିଲେଣି ନବୀନ । ଜଣ ଜଣ କରି ଆଲୋଚନା କରିବା ସହ ସେମାନଙ୍କର ମତାମତ ଶୁଣୁଛନ୍ତି । ଦଳ ଆଗକୁ କିଭଳି ଅଧିକ ଶକ୍ତିଶାଳୀ ହୋଇ ନିର୍ବାଚନ ଜିତିବ ସେଥିପାଇଁ ମାର୍ଗଦର୍ଶନ ଦେଉଛନ୍ତି ବିଜେଡି ସୁପ୍ରିମୋ । ଆଜି ବି ରାଜ୍ୟବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ପାଇଁ ଯଥେଷ୍ଟ ସମ୍ମାନ ରହିଛି । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ସରକାର କରିଥିଲା, ତାହାର ଫମ୍ପା ଆୱାଜ ଲୋକଙ୍କୁ ଶୁଭିଲାଣି । ଯାହା ନବୀନଙ୍କ ଲୋକପ୍ରିୟତାକୁ ଆହୁରି ବଢାଉଛି । ଏପରି ସ୍ଥିତିରେ ରାଜ୍ୟବାସୀଙ୍କ ଆସ୍ଥାକୁ ଆହୁରି ସୁଦୃଢ କରିବାକୁ ଆଜିର ବୈଠକରେ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜୁ ଜନତା ଦଳ ।