ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଶେଷ ଦିନ ; ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବେ ମାଆ

ବ୍ରହ୍ମପୁର :  ଆଜି ବ୍ରହ୍ମପୁର ଠାକୁରାଣୀ ଯାତ୍ରାର ଶେଷ ଦିନ । ଦିନ ତମାମ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବା ପରେ ମଧ୍ୟରାତ୍ରୀରେ ମୁଖ୍ୟ ମନ୍ଦିରକୁ ଫେରିବେ ମାଆ । ବାପଘରୁ ଭାରତୁରା ନେଇ ଶାଶୂଘରକୁ ଯିବେ ମାଆ ସାଆନ୍ତାଣୀ । ଝିଅ ବିଦାବେଳେ ବାପଘର ସାହିରେ ଦେଖିବାକୁ ମିଳିବ ଭାବପୂର୍ଣ୍ଣ ଦୃଶ୍ୟ । ଏହାପରେ ବେଷଭୂଷା ସହ ଦେଶିବେହେରା ସାହିରୁ ମୁଖ୍ୟ ମନ୍ଦିରକୁ ବାହାରିବ ବିରାଟ ପଟୁଆର ।

ବିଭିନ୍ନ ସାହି ପରିକ୍ରମା କରିବା ସହ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିଜ ମାନସିକ ଘଟକୁ ଧରି ମାଆଙ୍କ ପଛେ ପଛେ ଯାତ୍ରା କରିବେ । କଟକଣା ଯୋଗୁଁ ବିଗତ ବର୍ଷ ଯାତ୍ରା ହୋଇ ନଥିବାରୁ ଏଥର ଅଧିକ ସଂଖ୍ୟାରେ ମାନସିକ ଘଟଧାରୀ ଯାତ୍ରା କରିବାର ସମ୍ଭାବନା ରହିଛି । ପାଖାପାଖି ୭୦ରୁ ୮୦ ହଜାର ମାନସିକ ଘଟଧାରୀ ମହିଳା ମାଆଙ୍କ ସହ ଯାତ୍ରା କରିବେ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ମାନସିକଧାରୀ ମୁଖ୍ୟ ମନ୍ଦିରରେ ଘଟ ବିସର୍ଜନ କରି ଘରକୁ ଫେରିବେ । ମାଆଙ୍କ ଆଗମନକୁ ନେଇ ଉତ୍ସାହିତ ଶାଶୂଘର ଲୋକେ । ମାଆ ଫେରୁଥିବାରୁ ସାହିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୨ ତାରିଖ ଅପରାହ୍ନ ଯାଏଁ ମନ୍ଦିରରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ରହିଛି ।