ଶ୍ରାବଣ ଆକାଶରେ ଶରତ ଚିତ୍ର, ଭୁବନେଶ୍ୱର ଚିତ୍ରପଟ୍ଟରେ ରଙ୍ଗର ଯାଦୁ

ଭୁବନେଶ୍ୱର: ଶ୍ରାବଣ ମେଘର ମାସ । ଶ୍ରାବଣ ବିରହର ମାସ । ଶ୍ରାବଣ ଆକାଶରେ ଘର କରିଥାଏ କଳା ମେଘ । ବର୍ଷା ବିନ୍ଦୁରେ ଓଦା ହୁଏ ମନ,ଓଦା ହୁଏ ଦେହ । କିନ୍ତୁ ଶ୍ରାବଣର ଏହି ଚିତ୍ର ବିଚିତ୍ର । ଭୁବନେଶ୍ୱର ଆକାଶରେ ଶ୍ରାବଣ ମାସରେ ନାହିଁ ଘନ ଅନ୍ଧକାରମୟ କଳା ବାଦଲ । ତା’ସ୍ଥାନରେ ଆକାଶରେ ଲାଗିଛି ରଙ୍ଗ । ସୁନେଲି ଆକାଶ ଭିତରେ ଭାସୁଛନ୍ତି ଧଳା ମେଘ ଖଣ୍ଡ । ସତେ ଯେମିତି ଏକାଏକା ବିରହ ପ୍ରେମିକ ।
ରାଜଧାନୀର ନିର୍ମଳ ଆକାଶରେ ବାଦଲ ଓ ରଙ୍ଗର ଅପୂର୍ବ ମିଳନ । ସୂର୍ଯ୍ୟ ସହ ମେଘର ଲୂଚକାଳୀ ଖେଳ,ଆକାଶକୁ କରିଛି ବିଚିତ୍ରବର୍ଣ୍ଣା । କବି ଓ ଭାବୁକଙ୍କ ପାଇଁ ଅନେକ କଥାର ପଟକଥା । ସାଧାରଣ ଲୋକଟିଏ ପାଇଁ ନିଜ ଝରକାରୁ ଅପରୂପା ପୃଥିବୀ ଓ ଆକାଶକୁ ଦେଖି ସାମୟୀକ ଖୁସୀ ହେବାର ଖୋରାକ ।
ଆକାଶରେ ମେଘ, ଆଲୋକ ଯଦି କଥା ହେଉଛନ୍ତି ତେବେ ତଳେ ମଣିଷ ମନ କହୁଛି ଆସ୍ତେ ଆସ୍ତେ ଆସୁଛି ଶରତ । ଆଉ କିଛି ଦିନର ଅପେକ୍ଷା । ଅପେକ୍ଷାର ଅନ୍ତ ପରେ ଜୀବନରୁ ଦୁରେଇଯିବ ସବୁ କଳା ବାଦଲ । କରୋନା କାଳରେ ହୁଏତ ଶରତ ଆଣିବ କିଛି ଆଶ୍ୱସ୍ତି । ଆଶା ହିଁ ଜୀବନକୁ ଆଗକୁ ନିଏ । ଆଶା ମରେନା,ଆଶା ସବୁବେଳେ ଜୀବିତ । ହୁଏତ ଭୁବନେଶ୍ୱରର ଶ୍ରାବଣ ଆକାଶ ସେଇକଥା କହୁଛି । କହୁଛି ଅନ୍ଧକାରର ଏହି ଦିନରେ ନିରାଶ ହୁଅନି । ଅପେକ୍ଷା କର,ସବୁ ରାତିର ସକାଳ ଅଛି । ସବୁ ଅପେକ୍ଷାର ଅନ୍ତ ଅଛି । ଯଦି କେଇ ମୂହୁର୍ତ୍ତରେ ମୋ ରଙ୍ଗ ବଦଳି ଯାଇପାରେ,ତେବେ ଅଳ୍ପ କେଇ ଦିନ ଭିତରେ ହଟିଯିବ ନିରାଶର ଆବରଣ ।