ଆଜି ବି ରାଜ୍ୟରେ ଘନ କୁହୁଡ଼ିର ପ୍ରଭାବ: ଭୋରରୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବର: ଆଜି ବି ଘନ କୁହୁଡି ପକାଇଲା ପ୍ରଭାବ । ଭୋରରୁ ଯାତାୟତ ବାଧାପ୍ରାପ୍ତ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା। ଘନ କୁହୁଡି ନେଇ ଆଜି କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲାରେ ଭିଜିବିଲିଟି ୫୦ ମିଟରରୁ କମ୍ ରହିପାରେ ବୋଲି କୁହାଯାଇଥିଲା। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଥିଲା । ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ କୁହୁଡି ମାତ୍ରା ବୃଦ୍ଧି ପାଉଛି । ସେପଟେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।