ବିଧାନସଭା ଶୀତ ଅଧିବେଶନ। ଆଜି ଗୃହରେ ଆସିବ ୨୦୨୫ ମସିହା ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍। ବିଲ୍ ଆଗତ କରିବେ ଅର୍ଥ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ। ଗତ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପିତ ହୋଇଥିଲା। ଏହି ଅତିରିକ୍ତ ବଜେଟ ଉପରେ ଡିସେମ୍ବର ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ହୋଇଥିଲା ଆଲୋଚନା। ସରକାର ବଜେଟ ଆକାର ବଡ଼ କରି ବାହାବା ନେଉଥିଲା ବେଳେ ବଜେଟ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ବୋଲି ବିରୋଧୀ ସରକାରଙ୍କୁ ଟାର୍ଗେଟ କରି ଆସୁଛନ୍ତି।ଗତ ଅକ୍ଟୋବର ସୁଦ୍ଧା ମୂଳ ବଜେଟ ମାତ୍ର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି। ଯାହାକୁ ନେଇ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନାରେ ବିରୋଧୀ ସରକାରଙ୍କୁ ବିଭିନ୍ନ ପ୍ରଶ୍ନବାଣରେ ଘେରିଥିଲେ। ଆଜି ବ୍ୟୟମଂଜୁରୀ ବିଲ୍ ଆଲୋଚନା ବେଳେ ମଧ୍ୟ ସରକାରଙ୍କର ଆର୍ଥିକ ପରିଚାଳନାକୁ ନେଇ ବିରୋଧୀ ଟାର୍ଗେଟ କରିବା ଦେଖିବାକୁ ମିଳିବ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ସଦସ୍ୟଙ୍କ ବିଭିନ୍ନ ପ୍ରସଙ୍ଗ ଆଲୋଚନା ପରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। ବ୍ୟୟ ମଂଜୁରୀ ବିଲ୍ ଉପରେ ଆଲୋଚନା ଥିବାରୁ ଆଜି ଗୃହରେ କୌଣସି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ହେବନାହିଁ।

