ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ

ନନ୍ଦିଘୋଷ ବ୍ୟୁରୋ: ଆଜି ଦେଶରେ ଷଷ୍ଠ ଏବଂ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଛି ଓଡ଼ିଶା । ୭ଟି ପାହାଚର ଆଜି ତୃତୀୟ ପାଦରେ ପ୍ରବେଶ କରିଛନ୍ତି ଓଡ଼ିଶାବାସୀ । ଆଜି ଅନୁଷ୍ଠିତ ହେଉଛି ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଚଳିତ ନିର୍ବାଚନରେ ଆଜି ହେଉଛି ସବୁଠୁ ହାଇପ୍ରୋଫାଇଲ୍ ଲଢ଼େଇ । ବାଜିରେ ଲାଗିଛି ବଡ଼ ନେତାଙ୍କ ଭାଗ୍ଯ । ଆଜିର ଆସନ ଉପରେ ରହିଛି ସାରା ରାଜ୍ଯର ନଜର । ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ବଙ୍କର ଆଜି ହେଉଛି ଭାଗ୍ଯ ପରୀକ୍ଷା । ଲୋକସଭା କ୍ଷେତ୍ରକୁ ଦେଖିଲେ ଜଣେ କେନ୍ଦ୍ରମନ୍ତ୍ରୀ, ଦୁଇ ସାଂସଦ, ଜଣେ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କର ଭାଗ୍ଯ ପରୀକ୍ଷା ହେଉଥିବାବେଳେ ବିଧାନସଭା ଆସନରେ ୩୦ ବିଧାୟକ, ୧୨ ପୂର୍ବତନ ବିଧାୟକ, ୮ ମନ୍ତ୍ରୀ ଓ ୭ ପୂର୍ବତନ ମନ୍ତ୍ରୀଙ୍କ ରାଜନୈତିକ ଭବିଷ୍ଯତ ନିର୍ଦ୍ଧାରଣ ହେଉଛି । ଆସନ୍ତୁ ନଜର ପକାଇବା ଆଜି କେଉଁଠି ହେଉଛି ନିର୍ବାଚନ ଆଉ କିଏ କାହାକୁ ଦେଉଛି ଟକ୍କର ।

ଆଜି ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେଉଛି । ବିଜେପି ଓ ବିଜେଡିର ବହୁ ହେଭିୱେଟ୍ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସମ୍ବଲପୁର ଲୋକସଭା ଆସନରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି । ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ହେଉଛି ହାଇଭୋଲଟେଜ ଲଢେଇ । ବିଜେପି ଓ ବିଜେଡି ପାଇଁ ଏହି ଆସନରେ ସମ୍ମାନର ଲଢ଼େଇ ହେଉଛି ।

କେବଳ ସମ୍ବଲପୁର ଲୋକସଭା ଆସନ ନୁହେଁ, ଭୁବନେଶ୍ବର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ଲଢ଼େଇ ହେଉଛି। ଏହି ୩ଟି ଆସନ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି। ଦୁଇ ଦଳର ଫୋକସରେ ଏହି ତିନିଟି ଆସନ ଥିବାରୁ କେହି କାହାକୁ ଟିକେ ବି ସୁଯୋଗ ଦେବା ମୁଡରେ ନାହାନ୍ତି । ଜଗତସିଂହପୁର ଓ କେନ୍ଦୁଝରରେ ବି ହେଉଛି କଡ଼ା ଫାଇଟ୍ ।

୪୨ଟି ବିଧାନସଭା ଆସନରେ ବି ଆଜି ଭୋଟ୍ ହେଉଛି । କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେଉଛି ।