ବାରବାଟୀ ମ୍ୟାଚ୍ ପାଇଁ ଆସନ୍ତା ୫ରୁ ଅନଲାଇନ୍ ଟିକେଟ୍: ଜାଣନ୍ତୁ ଜିଏସଟି ପରେ ୫୦୦ ଟଙ୍କାର ଟିକେଟକୁ କେତେରେ କିଣିବେ

1 min read

ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ୍‌ କ୍ରେଜ। ଡିସେମ୍ବର 22 ତାରିଖରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଜୋରଦାର। ଦୀର୍ଘ ଦିନ ପରେ ବାରବାଟିକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ କରାଯିବ ସେଥିପାଇଁ ଓସିଏ ସମେତ, କମିଶନରେଟ୍‌ ପୋଲିସ ଓ ବିଭିନ୍ନ ସଂସ୍ଥା ଲାଗିପଡିଛନ୍ତିି।

ଇଣ୍ଡିଆ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ଅନଲାଇନ ଟିକେଟ୍‌ ବିକ୍ରିହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଅଫ୍‌ଲାଇନ୍‌ ଟିକେଟ୍‌ ଆସନ୍ତା ୧୯ ତାରିଖରୁ ବିକ୍ରି ହେବ। ଏଥର ଦର୍ଶକଙ୍କ ସୁବିଧାକୁ ଦେଖି ଅଧିକରୁ ଅଧିକ ଟିକେଟ୍‌ କାଉଣ୍ଟକ ଖୋଲିବାକୁ ନିଷ୍ପତ୍ତି ହୋଇଛି। ହେଲେ ପ୍ରଥମ ଥର ଟିକେଟ୍‌ ଉପରେ ଜିଏସଟି ଲାଗିବାକୁ ଯାଉଛି। ଯାହା ଏବେ ଦର୍ଶକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦୀର୍ଘ ଦିନ ଧରି ଓଡ଼ିଶାର କ୍ରିକେଟ୍‌ପେ୍ରମୀ ଦର୍ଶକ ଅନ୍ତର୍ଜାତୀୟ ମ୍ୟାଚକୁ ଅପେକ୍ଷା କରିଥିବା ବେଳେ ଟିକେଟର ଦର ବୃଦ୍ଧିକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି। ଧରାଯାଉ, ଯଦି ଗ୍ୟାଲେରୀ ଟିକେଟର ମୂଲ୍ୟ ୫୦୦ ଟଙ୍କା ଥାଏ ତେବେ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ। ଫଳରେ ଟିକେଟର ମୂଲ୍ୟ ୫୯୦ ଟଙ୍କାରେ ପହଞ୍ଚିବ। ସେହିପରି ୧୦୦୦ ଟଙ୍କା ଟିକେଟର ମୂଲ୍ୟ ଜିଏସଟି ଲାଗିବା ପରେ ୧୧୮୦ ଟଙ୍କାରେ ବିକ୍ରି ହେବ। ମୋଟ ୪୦ ହଜାର ଟିକେଟ୍‌ ବିକ୍ରି ହେବାକୁ ଧାର୍ଯ୍ୟ ହୋଇଛି।

ଅନଲାଇନ ପାଇଁ ୯ ହଜାର ଟିକେଟ ଓ ଅଫ ଲାଇନରେ ୩୧ ହଜାର ଟିକେଟ୍‌ ବିକ୍ରି ହେବ। ମ୍ୟାଚ ପାଇଁ ଆଜି ଭୁବନେଶ୍ୱର କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ପ୍ରସ୍ତୁତି ବୌଠକ ଅନଷ୍ଠିତ ହୋଇଯାଇଛି। ଉଭୟ ଭାରତ ଓ ୱେଷ୍ଟ ଇଣ୍ଡିଜ ଟିମ୍‌ ଡିସେମ୍ବର ୧୯ ତାରିଖରେ ଭୁବନେଶ୍ୱରରେ ପହିଞ୍ଚିବାକୁ ଥିବା ବେଳେ ମେ-ଫେୟାର ହୋଟେଲେ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଡିସେମ୍ବର ୨୦ ଓ ୨୧ ତାରିଖରେ ଉଭୟ ଟିମ୍‌ ବାରବାଟି ଷ୍ଟାଡ଼ିୟମରେ ଅଭ୍ୟାସ କରିବେ। ଖେଳାଳିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଖେଳାଳିଙ୍କ ସୁରକ୍ଷା ଦାୟୁତ୍ୱରେ ଭୁବନେଶ୍ୱର ଡିସିପି ରହିଥିବା ବେଳେ ବାରବାଟି ଷ୍ଟାଡ଼ିୟମର ଦାୟିତ୍ୱ କଟକ ଡିସିପିଙ୍କୁ ଦିଆଯାଇଛି। ଟିକେଟରେ କୌଣସି ପ୍ରକାର ଯେମିତି ଜାଲିଆତି ନ ହୁଏ ସେଥିପାଇଁ ପ୍ରତ୍ୟେକ ଟିକେଟ୍‌ ଉପରେ କଟକ ଡିସିପିଙ୍କ ଦସ୍ତଖତ ରହିବ। କ୍ରିକେଟ୍‌ ମ୍ୟାଚ୍‌ ପାଇଁ କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ଆଜି ହୋଇଥିବା ପ୍ରସ୍ତୁତି ବୈଠକରେ ପୋଲିସ କମିଶନର, କଟକ ଓ ଭୁବନେଶ୍ୱର ଡିସିପ, ଓସିଏ ସମ୍ପାଦକ ଓ ସଭାପତି, କ୍ରିଡ଼ା ନିର୍ଦ୍ଦେଶକ, ଏୟରାପୋର୍ଟ ଡାଇରେକ୍ଟର ପ୍ରମୁଖ ଉପସ୍ଥିତି ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ')}

Leave a Reply