ରାଷ୍ଟ୍ରପତିଙ୍କୁ ବି ଛାଡିଲେନି ଟିଏମସି ମନ୍ତ୍ରୀ, ଅଶୋଭନୀୟ ମନ୍ତବ୍ୟ ପାଇଁ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଅଡୁଆରେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ଅଖିଳ ଗିରି । ଏହାକୁ ନେଇ ବର୍ଷିଛନ୍ତି ବିଭିନ୍ନ ରାଜନୈତିକ ଦଳ । ନନ୍ଦିଗ୍ରାମରେ ଆୟୋଜିତ ଏକ ସଭାରେ ଯୋଗଦେଇ ସେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିବା ଆଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ।

ସର୍ବସାଧାରଣ ସଭାରେ ମନ୍ତ୍ରୀ ଜଣଙ୍କ ପଚାରିଛନ୍ତି ଆମ ରାଷ୍ଟ୍ରପତି ଦେଖିବାକୁ କେମିତି ? ମନ୍ତ୍ରୀଙ୍କ ଟିପ୍ପଣୀ ପରେ ତାଙ୍କୁ ସମାଲୋଚନା କରିବା ସହ ଘଟଣାକୁ ନିନ୍ଦା କରାଯାଇଛି ।  ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ମନ୍ତ୍ରୀ ଅଖିଳ ଗିରିଙ୍କୁ ସମାଲୋଚନା କରିଛନ୍ତି । ସେହିପରି ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ମଧ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ଆଦିବାସୀ ବିରୋଧୀ ଦଳ ବୋଲି ବିଜେପି ମନ୍ତବ୍ୟ ଦେଇଛି । ପୂର୍ବରୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଯାହାକୁ ତୀବ୍ର ବିରୋଧ କରାଯାଇଥିଲା । ସେହିପରି କଂଗ୍ରେସ ନେତା ଉଦିତ ରାଜ ମଧ୍ୟ ଏକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିଲେ । ପରେ ଦୁହେଁ ନିଜ ମନ୍ତବ୍ୟ ନେଇ କ୍ଷମାପ୍ରାର୍ଥନା କରିଥିଲେ ।