କୃଷି ଆଇନ୍ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ

କୋଲକାତା: ତିନି କୃଷି ଆଇନ୍ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ପ୍ରସ୍ତାବ ପାରିତ କରାଇଛନ୍ତି ତୃଣମୂଳ କଂଗ୍ରେସ ସରକାର। ବିଧାନସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୃଷି ଆଇନ୍ ବିରୋଧରେ ପ୍ରସ୍ତାବ ଆଣିଥିଲେ ।

ଏହି ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷି ଆଇନ୍ ଚାଷୀ ବିରୋଧୀ ଅଟେ, ଏଣୁ ସରକାର ଏହାକୁ ପ୍ରତ୍ୟାହର କରିବା ଆବଶ୍ୟକ। ପଶ୍ଚିମବଙ୍ଗ ସରକାର ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ ଆଗକୁ ରହିବେ ବୋଲି କହିଥିଲେ ମମତା ବାନାର୍ଜୀ ।

ଗଣତନ୍ତ୍ର ଦିବସରେ ଯେଉଁ ହିଂସା ଘଟଣା ହେଲା ଏଥିପାଇଁ ଦିଲ୍ଲୀ ପୋଲିସ ହିଁ ଦାୟୀ। ହିଂସା ନେଇ ପୂର୍ବ ସୂଚନା ଥିଲେ ମଧ୍ୟ କାହିଁକି ପୋଲିସ ଆଗୁଆ ପଦକ୍ଷେପ ନେଲାନି ସେ ନେଇ ପ୍ରଶ୍ନ କରିଛନ୍ତି ମମତା। ବିଧାନସଭାରେ ପ୍ରସ୍ତାବ ପାରିତ ସମୟରେ ଗୃହ ତ୍ୟାଗ କରିଥିଲେ ବିଜେପି ବିଧାୟକ ।

ତେବେ କଂଗ୍ରେସ ଓ ସିପିଏମ ବିଧାୟକମାନେ ଏହାକୁ ସମର୍ଥନ ଜଣାଇଥିଲେ । ପଞ୍ଜାବ, ରାଜସ୍ଥାନ, ଛତିଶଗଡ, କେରଳ, ଦିଲ୍ଲୀ ଓ ପୁଡୁଚେରୀ ପରେ ଏବେ ପଶ୍ଚିମବଙ୍ଗ ସରକାର ତିନି କୃଷି ଆଇନ୍ ବିରୋଧରେ ବିଧାନସଭାରେ ପ୍ରସ୍ତାବ ପାରିତ କରାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ହୋଇଥିବା କୃଷକଙ୍କ ଟ୍ରାକ୍ଟର ପରେଡକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ହିଂସା ଘଟଣା ପରେ ଚାଷୀ ଆନ୍ଦୋଳନକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗାଜିପୁର ସୀମାରେ ବସିଥିବା ଚାଷୀଙ୍କୁ ହଟିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଥାନୀୟ ଜିଲ୍ଲାପାଳ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିଷ୍ପତ୍ତି ନେଇଛି ଗାଜିପୁର ପ୍ରଶାସନ।

ଅପରପକ୍ଷରେ ପରେଡ୍ ସମୟରେ ହୋଇଥିବା ହିଂସାକାଣ୍ଡରେ ଆହତ ହୋଇ ଚିକିତ୍ସାଧିନ ଥିବା ପୋଲିସ କର୍ମଚାରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

Leave a Reply