କଚ୍ଛପ ଗତିରେ ଚାଲିଛି ତେଲନଦୀରେ ସେତୁ ନିର୍ମାଣ

ଟିଟିଲାଗଡ଼ : କଚ୍ଛପ ଗତିରେ ଚାଲିଛି ତେଲନଦୀରେ ସେତୁ ନିର୍ମାଣ । ୮ରୁ ୧୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ନିର୍ମାଣ । ଏବେ ମଧ୍ୟ ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ନଦୀ ପାରି ହେଉଛନ୍ତି ଲୋକେ । ଦୀର୍ଘଦନର ଦାବି ପରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ଯୋଗାଯୋଗ ପାଇଁ ତେଲ ନଦୀ ଉପରେ ଆରମ୍ଭ ହୋଇଥିଲା ସେତୁ ନିର୍ମାଣ । ନିର୍ମାଣକୁ ପ୍ରାୟ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ କାମ ଶେଷ ହୋଇପାରିଲାନାହିଁ । ପୋଲର ନିର୍ମାଣ କାମ ୭୦ ପ୍ରତିଶତ ଶେଷ ହୋଇଥିବା ବେଳେ ଆଉ ୩୦ ପ୍ରତିଶତ କାମ ବାକି ରହିଛି । ଏବେବି ଲୋକେ ବାଧ୍ୟହୋଇ ହାତ ତିଆରି ଦେଶୀ ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି । ଏପରିକି ଜିନିଷପତ୍ର ସହିତ ବାଇକ ମଧ୍ୟ ଡଙ୍ଗାରେ ପାରି କରୁଛନ୍ତି । ମାତ୍ରାଧିକ ପାଣି ଆସିଲେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବିଗତ ଦିନରେ ଡଙ୍ଗା ବୁଡ଼ି ଧନଜୀବନ ହାନୀ ହୋଇଥିବା ମଧ୍ଯ ନଜିର ରହିଛି । ତୁରନ୍ତ ସେତୁ ନିର୍ମାଣ କାମ ଶେଷ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

ତେଲନଦୀରେ ସେତୁ ନିର୍ମାଣ ହେଲେ ବଲାଙ୍ଗୀର ସହିତ କଳାହାଣ୍ଡି  ଓ ଫୁଲବାଣୀ ଜିଲ୍ଲାର ହଜାର ହଜାର ଲୋକେ ଉପକୃତ ହେବେ । ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଗମନାଗମନ ସୁବିଧା ପାଇଁ ପୂର୍ବ ସରକାର ସେତୁ ନିର୍ମାଣ କାମ ଆରମ୍ଭ କରାଇଥିଲେ । ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ସେତୁ ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ସେପଟେ ବିଭାଗ ସହିତ ଆଲୋଚନା କରି ଯଥାଶୀଘ୍ର ନିର୍ମାଣ କାମ ଶେଷ କରାଯିବ କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ । ତେଲ ନଦୀରେ ସେତୁ ନିର୍ମାଣ ହେଲେ ଗମାନାଗମନ ସୁବିଧା ହେବା ସହିତ ସ୍ଥାନୀୟ ଅଞ୍ଚଳର ଉନ୍ନତି ହେବ । ତେବେ ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟି ରଖି ଶୀଘ୍ର ସେତୁ ନିର୍ମାଣ ଶେଷ କରିବାକୁ ଦାବି ହୋଇଛି ।