ଟିଟିଲାଗଡ ମୁନସିପାଲିଟିର ବିଚିତ୍ର ନୀତି, ଟେଲିଫୋନ ଖୁଣ୍ଟରେ ଲାଗୁଛି ବିଜୁଳି ବତୀ
1 min read![](https://nandighoshatv.com/wp-content/uploads/2025/01/titilagarh-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ଟିଟିଲାଗଡ ମୁନସିପାଲିଟିର ବିଚିତ୍ର ନୀତି । ଟେଲିଫୋନେ ଖୁଣ୍ଟରେ ଲାଗୁଛି ବିଜୁଳି ବତୀ । ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବା ବେଳେ ମୁନସିପାଲିଟି ତରଫରୁ ଅବ୍ୟବହୃତ ଟେଲିଫୋନ ଖୁଣ୍ଟ ସଂଗ୍ରହ କରି ସେହି ଖୁଣ୍ଟରେ ଲାଇଟ୍ ଲଗାଯାଇଛି। ଏହା ମୁନସିପାଲିଟି ଦ୍ବାରା ହେଉଥିବା ଦୁର୍ନୀତି ବୋଲି ସ୍ଥାନୀୟ ଲୋକେ କହିବା ସହିତ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।
ଟିଟିଲାଗଡରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ହେଲେ କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ଟିଟିଲାଗଡ ବାସୀ। ବିଜୁ ଜନତା ଦଳର ଶାସନ ସମୟରେ ଖେଳକୁଦ କରିବା ଓ ବ୍ୟାୟମ ପାଇଁ ଜିମ୍ ସାମଗ୍ରୀ ବିଭିନ୍ନ ଅଞ୍ଚଳରେ ଲଗାଇବା ପାଇଁ ଦିଆଯାଇଥିଲା। ବ୍ୟାୟମ ସାମଗ୍ରୀ ବ୍ୟବହାର ନହୋଇ ଖୋଲା ଆକାଶ ତଳେ ପଡି ପଡି କଳଙ୍କି ଖାଉଛି। ସହର ମଧ୍ୟଭାଗରେ ରହିଛି ‘ମୁଡା ବନ୍ଧ’। ବନ୍ଧ ହିଡରେ ପେଭର୍ ବ୍ଲକ ପକାଇବା ସହିତ ଆଲୋକିକରଣ ପାଇଁ ପଦକ୍ଷେପ ନିଆଯାଉଛି। କାମ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହି ସ୍ଥାନ ରେ ଲାଗିଥିବା ପେଭର୍ ବ୍ଲକ ଗୁଡିକ ଭାଙ୍ଗିବା ସହିତ ଅନେକ ସ୍ଥାନ ରେ ଦବି ଗଲାଣି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଟେଲିଫୋନ ଖୁଣ୍ଟ ନେଇ “ମୁଡା ବନ୍ଧ “ ହିଡ଼ ରେ ଲଗାଇବା ସହିତ ଟେଲିଫୋନ ଖୁଣ୍ଟ ରେ LED ଲାଇଟ୍ ଲଗାଯାଇଛି।
ଏନେଇ ପଚରାଉଚରା କରିବାରୁ, ଟେଲିଫୋନ ଖୁଣ୍ଟ କୌଣସି ବିଭାଗ କିମ୍ବା ବ୍ୟକ୍ତି କୁ ଦିଆଯାଇନାହିଁ ଯଦି କେହି ନେଇଛନ୍ତି ତାହେଲେ ଚୋରି କରିକି ନେଇଛନ୍ତି ବୋଲି କହିଛନ୍ତି ବିଏସଏନଏଲ ଏସଡିଓ। ଟିଟିଲାଗଡର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି ହେଲେ ବଜେଟ୍ କମ ଥିବାରୁ ଟେଲିଫୋନ ବିଭାଗର ଖୁଣ୍ଟ ନେଇ ଆଲୋକିକରଣ କାର୍ଯ୍ୟରେ ଲଗାଯାଇଛି ବୋଲି ଟିଟିଲାଗଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ସ୍ଥାନୀୟ ଲୋକେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ସମସ୍ଯା ସମାଧାନ ନହେଲେ ସ୍ଥାନୀୟ ଲୋକେ ଆଗାମୀ ଦିନରେ ଆନ୍ଦୋଳନର ଧମକ ଦେଇଛନ୍ତି।