କମୁନି ଦାଦନ ଶ୍ରମିକଙ୍କ ଦୁଃଖ, ଅକାଳରେ ଚାଲିଗଲା ଦୁଇଜଣଙ୍କ ଜୀବନ
ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲାରେ କମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ । ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଯନ୍ତ୍ରଣା । ଲୋକଙ୍କୁ ରୋଜଗାର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କୋମାରେ ରାଜ୍ୟ ସରକାରଙ୍କ ଦାଦନ ଟାସ୍କ ଫୋର୍ସ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଡଙ୍ଗରପଡ଼ା ଗାଁରେ । ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ ଅଭିରାମ କଟାରଙ୍କ ପରିବାର । ତାମିଲନାଡୁର ଶିଖଲୁର୍ ଗାଁର ଏକ ପୋଲଟ୍ରି ଫାର୍ମରେ କାମ କରୁଥିଲେ ଉକ୍ତ ପରିବାର । ଫାର୍ମ ବାହାରେ ବାରହା ଧରିବାକୁ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ଅଭିରାମଙ୍କ ସହିତ ପୁଅ ଉତ୍ତମଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ରୋଜଗାରିଆ ବାପା ଓ ଭାଇକୁ ହରାଇ ଝିଅ ମମତାଙ୍କ ଆଖିରୁ ଲୁହ ଶୁଖୁନାହିଁ । ଲୋକଙ୍କ କହିବା ହେଲା, ଗାଁରେ କାମ ମିଳିଥିଲେ, ଲୋକମାନେ ଦାଦନ ଖଟି ବାହାରକୁ ଯାଇନଥାନ୍ତେ ।
ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁର ଅଭିରାମ କଟାରଙ୍କ ପରିବାର ଦୀର୍ଘ ୩ ବର୍ଷ ତଳେ ପୋଲଟ୍ରି ଫାର୍ମରେ କାମ କରିବାକୁ ତାମିଲନାଡୁ ଯାଇଥିଲେ । ଗତ ୭ ତାରିଖ ସନ୍ଧ୍ୟାରେ ପୁଅ ଉତ୍ତମ ସାଙ୍ଗମାନଙ୍କ ସହିତ ଫାର୍ମ ବାହାରକୁ ଯାଇଥିବା ବେଳେ ବାରହା ପାଇଁ ଲାଗିଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ବାପା ଅଭିରାମ ପୁଅକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ ତାର ରେ ଲାଗିଯାଇଥିଲେ । ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ୨ ଜଣଙ୍କ ମୃତ୍ୟୁ ପୃଥକ ପୃଥକ ସ୍ଥାନରେ ହୋଇଥିବାରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ । ଘଟଣାର ଉପଯୁକ୍ତ ତଦନ୍ତ ସହିତ ପୀଡ଼ିତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହିଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲାରେ ରୋଜଗାର ପାଇଁ ସୁଯୋଗ ନଥିବାରୁ ବାଧ୍ୟହୋଇ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ଦାଦନ ଶ୍ରମିକ ଚାଲାଣ ରୋକିବାକୁ ଏକ ପ୍ରକାର ଅସମର୍ଥ ହୋଇଛି ଜିଲ୍ଲା ଶ୍ରମ ବିଭାଗ ।