ତିରୁମାଲା ତିରୁପତି ଦେବସ୍ଥାନମରେ ୧୦.୩ ଟନ ସୁନା

ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡିର ସୁନା ପରିମାଣ ୧୦.୩ ଟନ୍ । ଏହାର ଦାମ ପ୍ରାୟ ୫ ହଜାର ୩ ଶହ କୋଟି ଟଙ୍କା । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ପରିମାଣ ୧୫ ହଜାର ୯୩୮ କୋଟି ଟଙ୍କା । ଏନେଇ ଟିଟିଡି ପକ୍ଷରୁ ଶ୍ବେତପତ୍ର ଜାରି କରାଯାଇଛି । ଏହାସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିଜରେ ସରପ୍ଲସ ଫଣ୍ଡକୁ ନିବେଶ କରିବା ଲାଗି ଟିଟିଡି ଅଧ୍ୟକ୍ଷ ଓ ବୋର୍ଡ ନିଷ୍ପତ୍ତି ନେଇଥିବା ଖବରକୁ ଖଣ୍ଡନ କରାଯାଇଛି ।

ବିଭିନ୍ନ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିଛି ବୋଲି କୁହାଯାଇଛି । ଟିଟିଡିର ମୋଟ ସମ୍ପତ୍ତି ପରିମାଣ ୨ ଲକ୍ଷ ୨୬ ହଜାର କୋଟି ଟଙ୍କା ରହିଛି । ସାରା ଦେଶରେ ୭ ହଜାର ୧୨୩ ଏକର ଜମି ପରିବ୍ୟାପ୍ତ ୯୬୦ରୁ ଅଧିକ ପ୍ରକାର ସମ୍ପତ୍ତି ରହିଛି । ଏହି ମନ୍ଦିରକୁ କୋଟି କୋଟି ଭକ୍ତ, ବ୍ୟବସାୟୀ ଓ ପ୍ରତିଷ୍ଠାନ ମୁକ୍ତ ହସ୍ତରେ ଦାନ କରିଆସୁଛନ୍ତି ।