spot_img

Latest Posts

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଟ୍ରେନଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ଟ୍ରେନଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ଦ୍ବିତୀୟ ପର୍ଯ୍ୟାୟରେ ପୁରୀ, ଖେର୍ଦ୍ଧା, ଜଗତସିଂହପୁର, ଢ଼େଙ୍କାନାଳ, କଟକ ଓ କେନ୍ଦ୍ରାପଡ଼ାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ସାମିଲ ହୋଇ ହରିଦ୍ବାର ଓ ଋଷିକେଶ ଯାତ୍ରା କରିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭକାମନା ଜଣାଇବା ସହ ବିଭିନ୍ନ ଅଂଚଳର ସଂସ୍କୃତି ଓ ତୀର୍ଥସ୍ଥଳ ସମ୍ପର୍କରେ ଜାଣିହେବ ବୋଲି ଏହାଦ୍ବାରା କହିଥିଲେ ।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର ୨୦ ହଜାରରୁ ଅଧିକ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରି ଆଧ୍ୟାତ୍ମିକତା ଅନୁଭବ କରିଥିବା ସେ କହିଥିଲେ । ଭୁବନେଶ୍ବର ରେଳ ଷ୍ଟେସନରେ ଦ୍ବିତୀୟ ପର୍ଯ୍ୟାୟ ଟ୍ରେନଯାତ୍ରାର ଶୁଭାରମ୍ଭ ହୋଇଥିବାବେଳେ ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତନ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ସୁର ରାଉତରାୟ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଏବଂ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଆଜିର ଏହି ତୀର୍ଥଯାତ୍ରାରେ ୬ ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଏବଂ ୩୦ ଜଣ ଅଧିକାରୀ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଏକ ନିଆରା ଯୋଜନାକୁ ସାଧାରଣରେ ପ୍ରଂଶସା କରାଯାଉଛି ।

Latest Posts

Don't Miss