ସିୟା କକ୍କରଙ୍କୁ ଆସୁଥିଲା ଧମକ୍ ! କଲ ଡିଟେଲସ୍ ଖୋଲିପାରେ ମୃତ୍ୟୁର ରହସ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଟିକଟକ୍ ଷ୍ଟାର ସିଆ କକ୍କରଙ୍କ ଆତ୍ମହତ୍ୟା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଥିବାବେଳେ କୌଣସି ଖିଅ ପୋଲିସ ହାତରେ  ଏଯାଏଁ ଲାଗିନି ।  ସିୟାଙ୍କ ଆତ୍ମହତ୍ୟା ନେଇ ପୋଲିସ ଲଗାତାର ପରିବାର ଲୋକଙ୍କ ସହ ସ୍କୁଲ ସାଙ୍ଗ ମାନଙ୍କୁ ପଚରାଉଚରା କରୁଛି । ପୋଲିସ  ସିୟାଙ୍କ ମ୍ୟାନେଜରଙ୍କୁ  ମଧ୍ୟ ପଚରାଉଚରା ଜାରି ରଖିଛି । ସିୟା ପୂର୍ବ ଦିଲ୍ଲୀର ଗୀତା କଲୋନୀରେ ନିଜ ପରିବାର ସହ ରହୁଥିଲେ । ସୂଚନା ଅନୁଯାୟୀ, ସବୁଦିନ ସୋସିଆଲ ମିଡିଆରେ ଡାନ୍ସ ଭିଡିଓ ସେୟାର କରିବା ନେଇ ସିୟାଙ୍କୁ ଧମକ ଆସୁଥିଲା , ଯେଉଁଥିପାଇଁ ସିୟା ଖୁବ ଚିନ୍ତିତ ଥିଲେ ।     
ପୋଲିସ ସିୟାଙ୍କ ମୋବାଇଲ ଫୋନ ଜବତ କରିଛି  । ଏଥିସହିତ ସିୟାଙ୍କ କଲ ରେକର୍ଡ ବାହାର କରିବା ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ । ଯେଉଁଥିରେ ଏହା ଜଣାପଡ଼ିବ ଯେ ସେ ଶେଷ ଥର ପାଇଁ କାହା ସହିତ କଥା ହୋଇଥିଲେ । ଏହା ସହିତ ପୋଲିସ ତାଙ୍କର କ୍ୟାମେରା ଏବଂ ଲ୍ୟାପଟପରୁ କିଛି ଫଟୋ ନେଇଛନ୍ତି ।

ସିୟା କକ୍କରଙ୍କ ଆତ୍ମହତ୍ୟାକୁ ନେଇ ପରିବାର ଲୋକ କହିଛନ୍ତି ଯେ, ବୁଧବାର ଦିନ ଯେତେବେଳେ ତାଙ୍କୁ ଖାଇବା ପାଇଁ ଡକାହେଲା ସେତେବେଳେ ତାଙ୍କ ରୁମର କବାଟ ଭିତର ପଟୁ ବନ୍ଦ ଥିଲା । ଯେତେବେଳେ ଦୀର୍ଘ ସମୟ ଧରି କୌଣସି ପ୍ରତିକ୍ରିୟା ମିଳିଲା ନାହିଁ ସେତେବେଳେ କବାଟ ଭଙ୍ଗା ଯାଇଥିଲା । ରୁମ ଭିତରେ ସିୟାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇ ସିୟାଙ୍କୁ ନିକଟ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ସିୟାଙ୍କ ମ୍ୟାନେଜରଙ୍କ କହିବା ଅନୁଯାୟୀ ବୁଧବାର ଦିନ ସିୟା ଶେଷଥର ପାଇଁ ଟିକଟକରେ ଏକ ଭିଡିଓ ସାୟାର କରିଥିଲେ । ଏହାସହିତ ଏକ ମ୍ୟୁଜିକ ଭିଡିଓକୁ ନେଇ ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ସେ କୌଣସି କାରଣକୁ ନେଇ ଚିନ୍ତିତ ଥିବା ଜଣାପଡ଼ୁନଥିବା ମ୍ୟାନେଜର କହିଛନ୍ତି । ପରିବାର ଲୋକ ମଧ୍ୟ କୌଣସି ପ୍ରକାର ଚିନ୍ତାର କାରଣ ବିଷୟରେ ଉଲ୍ଲେଖ କରି ନାହାନ୍ତି ।

Leave a Reply