ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା

ଭୁବନେଶ୍ୱର: ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ସାରା । ୨୦୦୯ରେ ନନ୍ଦନକାନନକୁ ଆସିଥିବା ସାରାର ମୃତ୍ଯୁ ହୋଇଛି । ମୃତ୍ଯୁ ବେଳକୁ ତାକୁ ୧୯ ବର୍ଷ ହୋଇଥିଲା । ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିବା ସାରା ବାର୍ଦ୍ଧକ୍ଯ କାରଣରୁ କିଛି ବର୍ଷ ହେଲା ଅସୁସ୍ଥ ହୋଇପଡ଼ିଥିଲା । ଖାଇବା ପିଇବା ଛାଡ଼ି ଫିଡିଂ ଚାମ୍ବରରେ ପଡ଼ିରହୁଥିଲା । ସାଲାଇନ, ଇଞ୍ଜେକ୍ସନ ଓ ଭିଟାମିନ ଦେଇ ବାଘୁଣୀକୁ ସୁସ୍ଥ କରିବାକୁ ସ୍ବତନ୍ତ୍ର ଡାକ୍ତରୀ ଦଳ ଉଦ୍ଯମ କରିଥିଲେ । ହେଲେ ଶେଷରେ ତାର ମୃତ୍ଯୁ ହୋଇଛି ।

୪ ବର୍ଷର ହୋଇଥିବା ସମୟରେ ୨୦୦୯ ମସିହା ଏପ୍ରିଲ ମାସରେ ମଧ୍ଯପ୍ରଦେଶର ଭୋପାଳ ଚଡ଼ିଆଖାନାରୁ ସାରାକୁ ନନ୍ଦନକାନନ ଅଣାଯାଇଥିଲା । ସେ ନନ୍ଦନକାନନର ଶୋଭାବର୍ଦ୍ଧନ କରୁଥିବାବେଳେ ଧଳାବାଘ ରିଷି ସହ ତାର ମିଳନ ଘଟି ୨୦୧୨ରେ ତିନୋଟି ବାଘୁଣୀ ଜନ୍ମ ହୋଇଥିଲେ। ସାରାର ବିୟୋଗରେ ପର୍ଯ୍ୟଟକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସାରାର ମୃତ୍ଯୁ ପରେ ନନ୍ଦନକାନନରେ ବାଘ ସଂଖ୍ଯା ୨୬କୁ ଖସି ଆସିଛି ।