ଦଶହରା ପାଇଁ କଡ଼ା ସୁରକ୍ଷା : ରାଜଧାନୀ ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ଦଶହରା ପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା । ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ରାଜଧାନୀର ୧୮୮ ଟି ସ୍ଥାନରେ ହେବ ଦୁର୍ଗାପୂଜା । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ ହେବ କଡାକଡି  । ଭାରିଯାନ ଚଳାଚଳରେ ରହିବ ପ୍ରତିବନ୍ଧକ ଏବଂ ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି ।

୬ଟି ଜାଗାରେ କଣ୍ଟ୍ରୋଲ ରୁମ କରିଛି କମିଶନରେଟ ପୋଲିସ । ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ପୁରା ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହର ର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କଲେ ପୋଲିସ କମିଶନର ।