ଟାଇଟ୍ ଜିନ୍ସ ବ୍ୟାନ୍, କେଶ ବି କରିପାରିବେନି ରଙ୍ଗ

ନୂଆଦିଲ୍ଲୀ: ଏହି ଦେଶରେ ଲାଗୁ  ହୋଇଛି ଅଜବ ନିୟମ । ଦେଶରେ ମହିଳାମାନଙ୍କ ଉପରେ କଡ଼ା ନିୟମ କରିଛନ୍ତି ସରକାର । ସେଠାକାର ମହିଳା ଟାଇଟ୍ ଜିନ୍ସ ପିନ୍ଧି ପାରିବେନି କି କେଶ ରଙ୍ଗ ବି କରିପାରିବେନି । ଏପରି କଡ଼ା ନିୟମ କରିଥିବା ଦେଶ ହେଲା  ଉତ୍ତର କୋରିଆ । ଉତ୍ତର କୋରିଆର ଶାସନ ପଦ୍ଧତି ବିଶ୍ବର ସବୁ ରାଷ୍ଟ୍ରରେ ପ୍ରଚଳିତ ଶାସନଠାରୁ ଭିନ୍ନ ହୋଇଥାଏ । ଏହି ଦେଶ ଆଶ୍ଚର୍ଯ୍ୟ ଏବଂ ଅଜବ ନିଷ୍ପତ୍ତି ନେଉଥିବାରୁ ଦେଶର ସୁପ୍ରିମୋ କିମ୍ ଜୋଙ୍ଗ୍ ଉନ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

ଏହି ଦେଶ ଅନେକ ରହସ୍ୟକୁ ନିଜ ଛାତି ତଳେ ଚାପି ରଖିଛି ବୋଲି ସାରା ବିଶ୍ବ ଜାଣିଛି । ଦେଶରେ ଲାଗୁ ହୋଇଥିବା ପୁରୁଣା ନିୟମ ଚର୍ଚ୍ଚାର ବିଷୟ ପାଲଟିଥିଲାବେଳେ ଏବେ ଏହି ନୂଆ ନିୟମ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

୨୦୨୧ ମସିହା ଡିସେମ୍ବରରେ ଉତ୍ତର କୋରିଆ ପୂର୍ବତନ ସୁପ୍ରିମୋ କିମ୍ ଜୋଙ୍ଗ ଇଲଙ୍କ ମୃତ୍ୟୁର ୧୦ମ ବାର୍ଷିକୀ ଅବସରରେ ୧୧ ଦିନ ପାଇ ଲୋକଙ୍କ ହସିବା, ମଦ୍ୟପାନ  ଓ ସଉଦା କିଣିବା ଉପରେ କଟକଣା ଲାଗୁ ହୋଇଥିଲା । କେବଳ ଏତିକି ନୁହେଁ ଲଗାଇଥିବା ଗଛରେ ଫୁଲ ଫୁଟି ନଥିବାରୁ ବଗିଚା ରକ୍ଷକଙ୍କୁ ଲେବର୍ କ୍ୟାମ୍ପକୁ ପଠାଇ ଦିଆଯାଇଥିବା ଖବର ବି ରହିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ସୋସିଆଲିଷ୍ଟ ପାଟ୍ରିଅଟ୍ ୟୁଥ୍ ଲିଗ୍ ଏବେ ୨୦ରୁ ୩୦ ବର୍ଷୀୟ ମହିଳାଙ୍କୁ ଟାର୍ଗେଟ କରିଛି । ମହିଳାଙ୍କର ଅଣ୍ଟା ଯାଏ ଲମ୍ବିଥିବା କେଶ, ରଙ୍ଗୀନ କେଶ କିମ୍ବା ବଡ଼ ବଡ଼ ବିଦେଶୀ ଅକ୍ଷର ଲେଖାଥିବା ପୋଷାକ ପିନ୍ଧୁଥିବା ମହିଳାଙ୍କ ଉପରେ କଟକଣା ଲଗାଇଛନ୍ତି । ସେଠାକାର ମହିଳାମାନେ ଟାଇଟ୍ ଫିଟ୍ ଜିନ୍ସ ବା ସ୍କିନ୍ ଫିଟ୍ ଜିନ୍ସ  ପିନ୍ଧିପାରିବେ ନାହିଁ ।

ଯଦି କେହି ନିୟମ ମାନୁ ନଥିବା ନଜର ଆସୁଛନ୍ତି ତାହାଲେ ତତକ୍ଷଣାତ୍ ଘରୁ ପୋଷାକ ଆଣି ପିନ୍ଧିବାକୁ ବାଧ୍ୟ କରାଯାଉଛି । ଏମିତି କଟକଣା ପରେ ବି ସେଠାକାର ଯୁବବର୍ଗ ବିଦେଶୀ କଳାକାର ଏବଂ ଟିଭି କଳାକାର ପିନ୍ଧୁଥିବା ପୋଷାକକୁ ଆପଣାଇବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ।

ଏପରି ଯୁବବର୍ଗଙ୍କୁ ଖୋଜିବାକୁ ଦି ୟୁଥ୍ ଲିଗ୍ ଏବେ ଦୁଇଗୁଣା ପ୍ରୟାସ କରୁଛନ୍ତି ।