କରୋନା କାଳ: ଆମେରିକାରେ ପ୍ରଥମଥର ପାଇଁ ବାଘୁଣୀ ଦେହରେ ଭାଇରସ୍ ! ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ନ୍ୟୁୟର୍କ: ମହାମାରି କରୋନାକୁ ନେଇ ଏବେ ସବୁଠି ହାହାକାର । ସମଗ୍ର ବିଶ୍ୱ ଏହାର କରାଳ ରୂପକୁ ଅଙ୍ଗେ ଅନୁଭବ କରୁଛି । ବର୍ତ୍ତମାନ ସୁଦ୍ଧା ସ୍ପେନରେ ସର୍ବାଧିକ ୧୩,୦୫୫ ଜଣ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସ୍ପେନ ପରେ ଆମେରିକାରେ ମୋଟ ୯,୬୨୦ ଜଣ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇସାରିଲାଣି ।

ତେବେ ଆମେରିକରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର ବ୍ରୋନକ୍ସ୍‌ ଚିଡ଼ିଆଖାନାରେ ଥିବା ଏକ ବାଘୁଣୀ (ନାଡିଆ) ଠାରେ କରୋନା ସଂକ୍ରମଣ ହୋଇଛି । ବାଘୁଣୀର ରିପୋର୍ଟ ପଜିଟିଭ୍‌ ଆସିଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ ମାନେ ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୧୬ ତାରିଖ ଠାରୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚିଡ଼ିଆଖାନାକୁ ବନ୍ଦ କରାଯାଇଥିଲା ।

ଆମେରିକା କୃଷି ବିଭାଗର ଜାତୀୟ ଭେଟେରେନାରୀ ସର୍ଭିସେଜ୍‌ ଲାବେରୋଟୋରୀ ପକ୍ଷରୁ କୁହାଯାଇଛି ଯେ, ପ୍ରାଣୀଙ୍କଠାରେ କରୋନା ପଜିଟିଭ୍‌ ମିଳିବା ଏହା ପ୍ରଥମ ଘଟଣା । କୌଣସି କର୍ମଚାରୀଙ୍କ ଦ୍ୱାରା ୪ ବର୍ଷର ମାଳୟ ପ୍ରଜାତିର ବାଘୁଣୀ କରୋନା ସଂକ୍ରମିତ ହୋଇଥିବା ଚିଡ଼ିଆଖାନାର ବନ୍ୟପ୍ରାଣୀ ସଂରକ୍ଷଣ ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଘଟଣା ଘଟିବା ପରେ ଚିଡ଼ିଆଖାନାର ୫ଟି  ସିଂହ ଏବଂ ଅନ୍ୟ ବାଘଙ୍କ ନମୁନା ସଂଗ୍ରହ କରାଯାଇ ଯାଞ୍ଚ୍‌ ପାଇଁ ପଠାଯାଇଛି ।

ନନ୍ଦନକାନନ ସତର୍କ

କୌଣସି ଆନିମଲ କିପରଙ୍କ ଠାରୁ ବାଘୁଣୀକୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଥିବାବେଳେ ପଶୁ ଠାରୁ ପଶୁକୁ କରୋନା ସଂକ୍ରମଣ ହେବା ନେଇ କୌଣସି ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଓଡ଼ିଶାର ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ନିର୍ଦ୍ଦେଶ ଅନୁସାରେ ଅନିମଲ କିପର ମାନେ ପରିଷ୍କାର ଭାବରେ ହାତ ଧୋଇ ପଶୁ ମାନଙ୍କୁ ଖାଦ୍ୟ ଦେବେ । ଖୁଆଡ଼ ଗୁଡ଼ିକୁ ପ୍ରତିଦିନ ସାନିଟାଇଜର ଦ୍ୱାର ସଫା କରାଯିବ । ମୁଖ୍ୟତଃ ବାଘ ଏବଂ ସିଂହ ଖୁଆଡ଼ର କିପର୍ ମାନେ ହାତରେ ଗ୍ଳୋବ୍ସ ପିନ୍ଧି କାମ କରିବେ । ବାରମ୍ବାର ସାନିଟାଇଜରେ ହାତ ଧୋଇ ମାଂସ ଦେବେ । ସମସ୍ତଙ୍କ ମଧ୍ୟରେ ଦୂରତା ରକ୍ଷାକରିବେ, ଯେଉଁ କିପର୍ ମାନଙ୍କୁ ଥଣ୍ଡା କାଶ ହୋଇଛି ସେମାନଙ୍କୁ ଚିଡ଼ିଆଖାନା ନଆସିବାକୁ କୁହାଯାଇଛି ।

 

 

 

 

 

Leave a Reply