ଆସିଲା ବାଘ ଗଣନା ରିପୋର୍ଟ, ୨୦୨୨ରେ ଦେଶର ମୋଟ୍ ବାଘସଂଖ୍ୟା ୩ ହଜାର ୧୬୭

ନୂଆଦିଲ୍ଲୀ: ଦେଶରେ ବାଘ ସଂଖ୍ୟା ୩ ହଜାର ୧୬୭ । ୨୦୨୨ରେ ହୋଇଥିବା ବାଘ ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି ବୋଲି କୁହାଯାଇଛି । ୨୦୦୬ରେ ବାଘ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ସେମାନଙ୍କ ସଂଖ୍ୟା ହୋଇଥିଲା ୧୭୦୬ । ୨୦୧୪ରେ ଦେଶର ବାଘ ସଂଖ୍ୟା ଥିଲା ୨ ହଜାର ୨୨୬ । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ବାଘ ସଂଖ୍ୟା ବଢାଇବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି ।

ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ ବ୍ଯାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଓ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଛନ୍ତି ୩୫ଟି ପ୍ରକଳ୍ପ । ୨୦୨୨ରେ ଦେଶର ୫୩ତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାବେ ଘୋଷିତ ହୋଇଥିଲା ଉତ୍ତରପ୍ରଦେଶର ରାଣୀପୁର ବନ୍ୟପ୍ରାଣୀ ଅଭୟାରଣ୍ୟ । ବର୍ତ୍ତମାନ ବିଶ୍ବର ମୋଟ ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ରହିଛନ୍ତି ଭାରତରେ ।