ଘର ଲୋକଙ୍କ ସାମ୍ନାରେ ୯ ବର୍ଷର ଝିଅକୁ ଟାଣିନେଲା ବାଘ

ଶହଡୋଲ: ଶହଡୋଲ ଜିଲ୍ଲାର ଜୟସିଂହନଗରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଭଉଣୀ ସାଙ୍ଗରେ ଖେଳୁଥିବାବେଳେ ଟାଣିନେଲା ବାଘ । ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ । ସୂଚନା ପାଇ ବନ କର୍ମଚାରୀ ଏବଂ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ସୂଚନା ଅନୁସାରେ, ଶହଡୋଲ ଜିଲ୍ଲାର ଜୟସିଂହନଗରରସ୍ଥିତ ବାସଭବନଠାରେ ୯ ବର୍ଷୀୟ ପୁନମ୍‌ ତାଙ୍କ ଉଭଣୀମାନଙ୍କ ସହିତ ଖେଳୁଥିବାବେଳେ ହଠାତ୍‌ ଏକ ବାଘ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଟାଣି ନେଇଥିଲା । ବାଘ ମୁହଁରୁ ପୁନମଙ୍କୁ ବଞ୍ଚାଇବାକୁ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ ।   ଫଳରେ ଘଟଣାସ୍ଥଳରେ ଆଖି ବୁଜିଲେ ପୁନମ୍‌ । ଏହା ବାବଦରେ ସୂଚନା ପାଇବା ପରେ ବନ ଅଧିକାରୀ ଏବଂ ପୋଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁନମଙ୍କ ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବନ ଅଧିକାରୀଙ୍କ କହିବା ହେଉଛି ପୁନମଙ୍କ ପରିବାରର କିଛି ସଦସ୍ୟ ଫସଲ କାଟୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ବାଘ ଉପରେ ନଜର ରଖିବା ପାଇଁ ଉକ୍ତ ଅଞ୍ଚଳରେ କ୍ୟାମେରା ଲଗାଯାଉଛି ବୋଲି କହିଛନ୍ତି ବନ ଅଧିକାରୀ ।