ଆଜି ନାମିବ୍ୟାରୁ ଚାର୍ଟାର୍ଡ ଫ୍ଲାଇଟରେ ଭାରତ ଆସିବେ ଚିତା

1 min read

ନୂଆଦିଲ୍ଲୀ: ଆଫ୍ରିକାରୁ ଭାରତ ଆସିବେ ଚିତା । ଆଜି ନାମିବ୍ୟା ରାଜଧାନୀ ୱିଣ୍ଡହୋକରୁ ଏକ ଚାର୍ଟାର୍ଡ ଫ୍ଲାଇଟରେ ବାହାରିବେ ବାଘ । ପ୍ରଥମ ପର୍ଯ୍ୟାୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତାବାଘ ଅଣାଯିବ। ବାଘ ଆଣିବା ଲାଗି B747 ସ୍ୱତନ୍ତ୍ର ଜୁମ୍ବୋ ଜେଟର ବ୍ୟବସ୍ଥା କରାଯାଇଛି। ଏହି ବିମାନର ସମ୍ମୁଖ ଭାଗକୁ ବାଘ ଚିତ୍ରରେ ଚିତ୍ରଣ କରାଯାଇଛି । ବିମାନଟି ଅଧିକ ଲମ୍ବା ହୋଇଥିବା ବେଳେ କ୍ରମାଗତ ୧୬ ଘଣ୍ଟା ଉଡିବାର କ୍ଷମତା ହାସଲ କରିଛି । ଫଳରେ ବିମାନଟି ସିଧାସଳଖ ନାମିବ୍ୟାରୁ ଜୟପୁରରେ ପହଞ୍ଚିବ ।

ବିମାନରେ ଥିବା ବେଳେ ବାଘଙ୍କୁ କିଛି ଖାଇବାକୁ ଦିଆଯିବ ନାହିଁ । ଖାଦ୍ୟ ଖାଇଥିବା ବାଘମାନେ ଦୀର୍ଘଯାତ୍ରା କାଳରେ ଦୁର୍ବଳ ଅନୁଭବ କରୁଥିବାରୁ ସେମାନଙ୍କୁ ଖାଲି ପେଟରେ ରଖାଯିବ । ୱିଣ୍ଡହୋକରୁ ବାଘ ନେଇ ଆସୁଥିବା ବିମାନ ଜୟପୁରରେ ଲ୍ୟାଣ୍ଡ କରିବ । ସେଠାରୁ ହେଲିକପ୍ଟରରେ ବାଘମାନଙ୍କୁ ଜବଲପୁର ନିଆଯିବ । ଜବଲପୁରରେ ଏଥିଲାଗି ହେଲିପ୍ୟାଡ ତିଆରି ହୋଇଛି । ପରେ ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ରଖାଯିବ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ । ପୂର୍ବାହ୍ନ ୧୦ଟା ୪୫ରେ କୁନୋ ଜାତୀୟ ଉଦ୍ୟାନରେ ସେ ବାଘଙ୍କୁ ଛାଡ଼ିବେ । ୧୯୫୨ରେ ଚିତା ଭାରତରୁ ବିଲୁପ୍ତ ବୋଲି ଘୋଷଣା ହୋଇଥିଲା । ତେଣୁ ସେମାନଙ୍କ ବଂଶବୃଦ୍ଧି ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି । ଚିତା ପ୍ରକଳ୍ପ ଅନୁସାରେ ଭାରତରେ ଚିତାଙ୍କୁ ଛଡ଼ାଯାଉଛି। ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ । ଭାରତର ଶେଷ ଚିତାବାଘଟି ୧୯୪୮ରେ ଛତିଶଗଡ଼ର କୋରିୟା ଜିଲ୍ଲା ଅନ୍ତର୍ଗତ ଶାଲ ଜଙ୍ଗଲରେ ପ୍ରାଣତ୍ୟାଗ କଥିଲା ।