ଶିମିଳିପାଳରେ ଆରମ୍ଭ ହେଲା ବାଘ ଗଣନା, ୩ଟି ପର୍ଯ୍ୟାୟରେ ଗଣାଯିବ ବାଘ

ମୟୂରଭଞ୍ଜ: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଓ ଏହାର ପାଦଦେଶରେ ଆରମ୍ଭ ହୋଇଛି ବାଘ ଗଣନା। ଏହି ଗଣନା କାର୍ଯ୍ୟ ଶିମିଳିପାଳ ଅଭୟାରଣ୍ୟ ଏବଂ ଅଭୟାରଣ୍ୟ ବାହାରେ ଥିବା ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲାରେ ଥିବା ବନାଞ୍ଚଳ ଅଂଚଳରେ କରାଯିବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟାରେ ୫ ଶହରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଛନ୍ତି ।

ଏହି ପ୍ରକ୍ରିୟା ୩ଟି ପର୍ଯ୍ୟାୟରେ କରାଯିବ । ସମସ୍ତ ପ୍ରକ୍ରିୟାର ଫଳାଫଳକୁ ଆଧାର କରି ସାରା ରାଜ୍ୟରେ ଫଳାଫଳ ପ୍ରକାଶିତ ହେବ ବୋଲି ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ କାର୍ଯ୍ୟ ଓ ଦ୍ବିତୀୟ ପର୍ଯ୍ୟାୟରେ ଟ୍ରାନଜିଟ ଲାଇନ ସର୍ଭେ କାର୍ଯ୍ୟ କରାଯିବ । ନଭେମ୍ବର ୧୧ ତାରିଖରୁ ୩ ଟି ପର୍ଯ୍ୟାୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇ ବାଘର ଉପସ୍ଥିତି ଉପରେ ନଜର ରଖାଯିବ ।