ଟିକେଟ ନେଇ ରାଜନୀତି ପାରଦ ଉପରମୁହାଁ

1 min read

ଭୁବନେଶ୍ବର: ୨୦୨୪ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସବୁ ଦଳରେ ଟିକେଟ କସରତ। ବିଜେଡିରେ ଟିକେଟ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଥିବାବେଳେ ଦଳୀୟ ନେତାଙ୍କ ସହ ଘନଘନ ବୈଠକ ବସୁଛି । ଦୁଇ ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ଅଡ଼ୁଆ ବଢିବାରେ ଲାଗିଛି । ବିଜେପି ନେତାଏ ଖୋଲାଖୋଲି ନିଜ ପସନ୍ଦର  ନିର୍ବାଚନ ମଣ୍ଡଳୀ ପାଇଁ ଲବି ଆରମ୍ଭ କରିଥିବା ବେଳେ କଂଗ୍ରେସର ଆଗୁଆ ଟିକେଟ ଦେବା ପ୍ଲାନରେ କେଁ ପଶିଛି ।

ତାରିଖ ଘୋଷଣା ହୋଇନାହିଁ । ତଥାପି ଟିକେଟ ନେଇ ରାଜନୀତି ପାରଦ ଉପରମୁହାଁ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳରେ ଜୋରଦାର ଟିକେଟ କସରତ । ୨୪ରେ ବିଜେଡି ବଡ଼ ବିଜୟ ସହ ବିଧାନସଭା ଓ ଲୋକସଭାରେ ରେକର୍ଡ଼ ସଂଖ୍ୟକ ଆସନ ଦଖଲ କରିବ। ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଆସିବା ପରେ ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଛି । କିଏ କେଉଁଠୁ ନିର୍ବାଚନ ଲଢିବେ ତାହାକୁ ନେଇ ଶଙ୍ଖଭବନରୁ ନବୀନ ନିବାସ ଯାଏ ଘନଘନ ବୈଠକ । ୧୦ହଜାରରୁ ଅଧିକ ଆଶାୟୀ ବିଜେଡି ଟିକେଟ ପାଇଁ ଆବେଦନ କରିସାରିଥିବା ଦଳ କହିଛି । ତେବେ ସବୁକିଛି ନିଷ୍ପତ୍ତି ନେବେ ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସରେ ମଧ୍ୟ ଟିକେଟ ଟେନସନ ଜାରି ରହିଛି । ବିଜେପିରେ କେତେ ଆଶାୟୀ ଆବେଦନ କରିଛନ୍ତି ତାହା ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ବରିଷ୍ଠ ବିଜେପି ନେତାମାନେ କିନ୍ତୁ  ଟିକେଟ ହାତେଇବା ପାଇଁ  ଖୋଲାଖୋଲି ନିଜ ମତ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସରେ ବି ଟିକେଟ ଅଡ଼ୁଆ ବଢିବାରେ ଲାଗିଛି । ଓଡ଼ିଶାରୁ ଦିଲ୍ଲୀ ଯାଏ  କଂଗ୍ରେସର ଟିକେଟ ଅଙ୍କ ଛିଣ୍ଡିନାହିଁ ।  ବିଧାୟକ ପାଇଁ ପ୍ରଗମନ ଆପ ଜରିଆରେ ୩ହଜାର ଓ ସାଂସଦ ପାଇଁ ୭୦୦ ଆଶାୟୀ ଆବେଦନ କରିଥିବା ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଇଣ୍ଡିଆ ମେଣ୍ଟ ସହ ଦଳର ଆସନ ବୁଝାମଣା ନେଇ କୌଣସି ସୁଫଳ ମିଳିନାହିଁ । ଦଳର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି- ଦଳ କୌଣସିମତେ ଆଗୁଆ ଟିକେଟ ବାଣ୍ଟିପାରିବ ନାହିଁ । ରାଜନୀତି ସମୀକ୍ଷକ କିନ୍ତୁ ଭିନ୍ନ ଆକଳନ କରିଛନ୍ତି ।