୪୩ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ ସହର ବୌଦ୍ଧ, ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ

1 min read
Thunderstorm with lightning Alert To 14 District Of Odisha

ଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ଆସୁଛି କାଳବୈଶାଖୀ ବର୍ଷା । ଡହ ଡହ ଖରାରେ ଓଡ଼ିଶା ଛଟପଟ ହେଉଛି । ଆଜି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ବୌଦ୍ଧରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ପାରଦ ୪୨.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ, ସମ୍ବଲପୁରରେ ୪୧.୬ ଡିଗ୍ରୀ ରହିଛି । ଭୁବନେଶ୍ୱର ପାରଦ ୩୮.୨ ଡିଗ୍ରୀ ଓ କଟକରେ ୩୭.୪ ଡିଗ୍ରୀ ରେକର୍ଡ ହୋଇଛି ।

ଅନ୍ୟପଟେ କାଳବୈଶାଖୀ ତାତିରୁ ଆଶ୍ୱସ୍ତି ଆଣିଛି । ୨ ତାରିଖ ପାଇଁ ଗଜପତି, ଗଞ୍ଜାମ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିଭଳି ୩ ତାରିଖରେ କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

୪ ତାରିଖ ଲାଗି ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ରାଜ୍ୟର କେତେକ ସ୍ଥାନରେ ଆଗାମୀ ୨ ଦିନ ଯାଏ ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Leave a Reply