୭ ଦିନ କାଳବୈଶାଖୀ ତାଣ୍ଡବ: ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଏମିତି ସ୍ଥିତି ଆହୁରି ୭ ଦିନି ପର୍ଯ୍ୟନ୍ତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବୃଷ୍ଟିପାତ ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲି ବର୍ଷାର ପରିମାଣ ବଢିବା ସହ ୧୮ ତାରିଖ ଯାଏଁ ବର୍ଷା ଜାରି ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଗତକାଲି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିଲା କାଳବୈଶାଖୀ । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନେକ ସ୍ଥାନରେ ଚାଳ ଛପର ଉଡି ଯାଇଥିଲା । ରାଜଧାନୀ ଭୁବନେଶ୍ବରରେ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା ।