୧୯ ଓ ୨୦ ତାରିଖରେ ଘଡ଼ଘଡ଼ି ସହ ବର୍ଷା, ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ବର: ହଠାତ ରାଜ୍ୟରୁ ଉଭାନ ହୋଇଗଲା ଶୀତ । ଟାଇଁ ଟାଇଁ ଖରା ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ । ରାତିରେ କିଛିମାତ୍ରାରେ ଥଣ୍ଡା ଅନୁଭବ ହେଉଥିଲେ ବି ଦିନରେ ତାତି ବଢ଼ିବାରେ ଲାଗିଛି । ଏପରିକି ଫେବୃଆରୀ ମାସରେ ପାରଦ ୩୫ ଡିଗ୍ରୀ ସେଲସିୟସ ଝୁଇଁଛି । ଲୋକେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରଭାବକୁ ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି । ଏମିତି ସ୍ଥିତିରେ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଆଶ୍ବସ୍ତିର ଖବର ।
ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୯ ଓ ୨୦ ତାରିଖରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଏନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡା ।
ସେହିପରି ୨୦ ତାରିଖରେ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲା ହେଲା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡା । ତେବେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ତାତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ବର ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଗଜପତି, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଆକଳନ କରାଯାଇଛି ।